Odisha Link
Bridging the Missing Links in Odisha

କଥା ରଖିଲେ ବର୍ଷା, ପ୍ରେମ୍‌ଆନନ୍ଦଙ୍କ ସଙ୍ଗୀତରେ ଗୀତ ଗାଇଲେ ଦୃଷ୍ଟିହୀନ କଳାକାର

ଭୁବନେଶ୍ବର: ଜଗନ୍ନାଥ ଭଜନ ରେକର୍ଡ କଲେ ମୁସଲମାନ ଭକ୍ତ ଅବଦୁଲ ସମଦ ନିଜାମୀ। ଦ୍ୱିତୀୟ ସାଲବେଗ ଅବଦୁଲଙ୍କ ସ୍ୱପ୍ନ ସତ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ‘ମୁଁ ଜାଣଛି ତମେ ଜାଣିଛ ହେ ସବୁ, ତଥାପି କହୁଛି ଶୁଣ ମହାପ୍ରଭୁ।’

ଗୁହାରୀ ଶୁଣିଲେ ଭକତର ବନ୍ଧୁ। ସ୍ୱପ୍ନ ସତ ହେଲା ଆଉ ସଂଗୀତ ଦୁନିଆରେ ପାଦ ବି ପଡ଼ିଲା। କୃପାସିନ୍ଧୁଙ୍କର ଅପାର କୃପାରେ ଜଗନ୍ନାଥ ଭଜନ ଗାଇଛନ୍ତି କଟକ ପ୍ରହରାଜପୁର ମୁସଲମାନ ଭକ୍ତ ଅବଦୁଲ ସମଦ ନିଜାମୀ । ଅବଦୁଲ ସମଦଙ୍କ ସ୍ୱପ୍ନକୁ ସାକାର କରିବାରେ ସାରଥି ସାଜିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ଭଜନଟିକୁ ନନ୍ଦିଘୋଷ ଟିଭିର ସଂପାଦକ ଶିଶିର ଭଟ୍ଟମିଶ୍ର ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମଆନନ୍ଦ। ଅବଦୁଲ୍ ପିଲା ଦିନରୁ ଅନ୍ଧ ହୋଇଥିବା ବେଳେ ଜଗନ୍ନାଥ ଭକ୍ତି ଓ ସଂଗୀତ ପ୍ରତି ରହିଛି ଅହେତୁକ ଦୁର୍ବଳତା।

କିଛିଦିନ ପୂର୍ବରୁ ଅବଦୁଲଙ୍କ ଏକ ଗୀତ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ସାଲବେଗ ଭକ୍ତ। ପ୍ରତିଭାକୁ ଦେଖି ସ୍ୱରକୁ ଆଗକୁ ନେବାକୁ ପ୍ରୟାସ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଉ ଶେଷରେ ପୂରଣ ହୋଇଛି ଅବଦୁଲଙ୍କ ସ୍ୱପ୍ନ।

ପ୍ରକାଶ ଯେ, ପୂର୍ବରୁ କୋରାପୁଟର ନମିତାଙ୍କୁ ଆଗକୁ ଆଣି ଗୀତ ରେକର୍ଡ କରିଥିଲେ ବର୍ଷା। ଏବେ ପୁଣି ଅବଦୁଲଙ୍କୁ ଆଗକୁ ଆଣି ନିଆରା ପ୍ରୟାସ ଜାରି ରଖିଛନ୍ତି ବର୍ଷା।

Comments are closed.