ଟିକେଟ ନ ମିଳିବାରୁ ଇସ୍ତଫା ଦେବା ସହ ଲଣ୍ଡା ହେଲେ କଂଗ୍ରେସ ନେତ୍ରୀ

ଥିରୁଅନନ୍ତପୁରମ: ଟିକେଟ ନ ମିଳିବାରୁ ହେଲେ ଲଣ୍ଡା। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳରେ। କେରଳ ମହିଳା କଂଗ୍ରେସର ଅଧ୍ୟକ୍ଷ ଲତିକା ସୁଭାଷଙ୍କ ଟିକଟ କାଟିବାରୁ ସେ ଲଣ୍ଡା ହୋଇ କେରଳ ମହିଳା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ଦଳ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ପାର୍ଟି ଅଫିସ ବାହାରେ ଲଣ୍ଡା ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି।
ଲତିକା ପ୍ରତିକ୍ରିୟାରେ କହିଛନ୍ତି, ସେ କୌଣସି ଦଳରେ ଯୋଗ ଦେଉ ନାହାନ୍ତି। ହେଲେ ସେ କେରଳ ପିସିସି ସଭାପତି ପଦରୁ ଇସ୍ତଫା ଦେଉଛନ୍ତି। ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ସେ ଚିନ୍ତା କରିନଥିବା କହିଛନ୍ତି।
ଲତିକା ଅଭିଯୋଗ କରିଛନ୍ତି, ଦଳ ପାଇଁ ଯେଉଁମାନେ ଦୀର୍ଘ ଦିନ ଧରି କାମ କରିଛନ୍ତି ସେମାନେ ନିର୍ବାଚନ ବେଳେ ଅଣଦେଖା ହୋଇଛନ୍ତି। ଲତିକା ଏଟ୍ଟୁମନୁରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ୨୦୧୮ରେ ରାହୁଲ୍ ଗାନ୍ଧୀଙ୍କ ଦ୍ୱାରା ସେ ମହିଳା କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ଥିଲେ।
ସୂଚନାଯୋଗ୍ୟ, କଂଗ୍ରେସ ଗତକାଲି କେରଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚଣ୍ଡୀଙ୍କୁ ପୁଥୁପଲ୍ଲୀ ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ନେତା ରମେଶ ଚେନ୍ତ୍ରିଥଲାଙ୍କୁ ହରିପଦ ଆସନରୁ ପ୍ରାର୍ଥୀ କରିଛି।