Odisha Link
Bridging the Missing Links in Odisha

ଅପେକ୍ଷାର ଅନ୍ତ ଘଟିଲା, ମା’ କୋଳକୁ ଫେରିଲା ଧୁଡ଼ୁ

କେନ୍ଦୁଝର: ପରିସ୍ଥିତି ଓ ନିୟମ ଜାଲରେ ସିନା ପରିବାରଠୁ ଦୂରେଇ ଯାଇଥିଲା ହେଲେ ୮ ଦିନ ପରେ ମମତା ଡୋରୀରେ ବାନ୍ଧି ହୋଇଥିବା ବରାହ ଶାବକ (ଧୁଡ଼) ପୁଣି ମା କୋଳକୁ ଫେରି ଆସିଛି। ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଘଟଣା କେନ୍ଦୁଝର ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟର ପୁରୁଷୋତ୍ତମ ଗାଁରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ, ପୁରୁଷୋତ୍ତମ ଗାଁର କୁନ୍ତଳା ପେଣ୍ଠେଇ ୨ ବର୍ଷ ତଳେ ଜାଳେଣି କାଠ ସଂଗ୍ରହ ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ବାରହା ଶାବକଟିଏ ଅସହାୟ ଭାବେ ପଡିଥିବା ଦେଖି ଘରକୁ ନେଇ ଆସିଥିଲେ। ବାରହାଟିକୁ କୁନ୍ତଳା ଓ ତାଙ୍କ ପରିବାର ନିଜର ଛୁଆ ପରି ପାଳିଥିଲେ।

ତେବେ ବନ୍ୟଜନ୍ତୁ ଘରେ ରଖିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ଓ ଜଙ୍ଗଲ ବିଭାଗର ନିର୍ଦ୍ଦେଶ ପରେ କୁନ୍ତଳା ଉକ୍ତ ବାରହାକୁ ନେଇ ସ୍ଥାନୀୟ ତେଲକୋଇ ନିକଟସ୍ଥ କମଳାଙ୍ଗ ଜଙ୍ଗଲରେ ଛାଡି ଦେଇ ଆସିଥିଲେ। କିନ୍ତୁ କୁନ୍ତଳାଙ୍କ ମନ ବୁଝିନଥିଲା। ସେ ପ୍ରତିଦିନ ଗାଁ ନିକଟ ଜଙ୍ଗଲକୁ ଯାଇ ଧୁଡୁ ପାଇଁ ଭାତ ଧରି ପହଞ୍ଚି ଯାଉଥିଲେ । ଜଙ୍ଗଲକୁ ଯାଇ ବାରହା ଧୁଡୁକୁ ନାଁ ଧରି ଡାକିଥିଲେ।

ଶେଷରେ ଧୁଡୁ ନିଜର ମା କୁନ୍ତଳା ପେଣ୍ଠେଇଙ୍କ ନିକଟରୁ ଫେରିବା ପରେ କୁନ୍ତଳାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ଏବେ ପରିବାର ସହିତ ଧୁଡ ବେଶ ଖୁସିରେ ରହୁଛି । ଧୁଡକୁ ଘରେ ରଖି ପାଳିବା ଅନୁମତି ଦେବା ଲାଗି କୁନ୍ତଳା ପ୍ରଶାସନକୁ ଅନୁରୋଧ କରିଛନ୍ତି।

Comments are closed.