Odisha Link
Bridging the Missing Links in Odisha

ମଙ୍ଗଳବାର ଦିନ ହେବ ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ଗତକାଲି ଅପରାହ୍ଣରେ ‘ଦିଲ୍ଲୀ ଏମ୍‌ସ୍‌’କୁ ରାଷ୍ଟ୍ରପତିଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ‘ବାଇପାସ୍‌ ସର୍ଜରି’ କରାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ମାର୍ଚ୍ଚ ୩୦ ତାରିଖ ମଙ୍ଗଳବାର ସକାଳେ ତାଙ୍କ ହୃତ୍‌ପିଣ୍ଡରେ ବାଇପାସ୍‌ ସର୍ଜରି କରାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି। ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ‘ଏମ୍‌ସ୍‌’ର ବିଶେଷଜ୍ଞମାନେ ତାଙ୍କର ଯତ୍ନ ନେଉଛନ୍ତି ବୋଲି ସରକାରୀ ବିବୃତିରୁ ଜଣାପଡ଼ିଛି।

ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ୍‌ କରି ଲେଖିଛି, ରେଗୁଲାର୍‌ ମେଡିକାଲ୍‌ ଚେକ୍‌ଅପ୍‌ ପରେ ଡାକ୍ତରମାନେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝାବୁଝି କରିବାକୁ ଆସିଥିବା ଶୁଭେଚ୍ଛୁମାନଙ୍କ ପ୍ରତି ରାଷ୍ଟ୍ରପତି ଧନ୍ୟବାଦ ବ୍ୟକ୍ତ କରିଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ସକାଳେ ରାଷ୍ଟ୍ରପତି ଛାତିରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ସାମରିକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାର ଅଧିକ ପରୀକ୍ଷା ନିରୀକ୍ଷା ଲାଗି ଶନିବାର ଦିନ ‘ଆର୍ମି ରେଫେରାଲ୍‌ ହସ୍ପିଟାଲ୍‌’ ତାଙ୍କୁ ଦିଲ୍ଲୀର ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’କୁ (ଏମ୍‌ସ୍‌) ‘ରେଫର୍‌’ କରିଥିଲେ।ଗତକାଲି ଠାରୁ ରାଷ୍ଟ୍ରପତି ‘ଏମ୍‌ସ୍‌’ର ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି।

Comments are closed.