Odisha Link
Bridging the Missing Links in Odisha

ତିନି ମାସ ପ୍ରଚଣ୍ଡ ତାତିରେ ସିଝିବ ଓଡ଼ିଶା

ଏ ବର୍ଷ ସାଧାରଣ ତାପାମାତ୍ରାଠାରୁ ଓଡ଼ିଶାରେ ୦.୩୫ ଡିଗ୍ରୀ ସେଲସିୟସ୍‌ ଅଧିକ ରହିବ

ଭୁବନେଶ୍ବର: ଗ୍ରୀଷ୍ମର ପ୍ରଚଣ୍ଡ ତାତିରେ ଏବର୍ଷ ଓଡ଼ିଶା ସିଝିବ। ଏପ୍ରିଲ, ମେ’ ଓ ଜୁନ୍‌ ମାସ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କରିଛି ଏଭଳି କିଛି ପୂର୍ବାନୁମାନ। ଯାହା ସମସ୍ତଙ୍କ ନିଦ ହଜେଇ ଦେବା ଭଳି। ତିନି ମାସ ପାଇଁ କରାଯାଇଥିବା ଏହି ଆକଳନରୁ ଜଣାପଡ଼ୁଛି ଯେ, ଏ ବର୍ଷ ସାଧାରଣ ତାପାମାତ୍ରାଠାରୁ ଓଡ଼ିଶାରେ ୦.୩୫ ଡିଗ୍ରୀ ସେଲସିୟସ୍‌ ଅଧିକ ରହିବ।

ମାର୍ଚ୍ଚ ମାସରେ ଆଇଏମ୍‌ଡି କରିଥିବା ପୂର୍ବାନୁମାନ ଅନୁସାରେ ମାସ ଶେଷ ସପ୍ତାହରୁ ଗ୍ରୀଷ୍ମର ପ୍ରଖରତା ଅନୁଭୂତ ହେଉଛି। ମଙ୍ଗଳବାର ବାରିପଦା ସହର ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ଥିବା ବେଳେ ବୁଧବାର ଦିନ ଭୁବନେଶ୍ବର ବିଶ୍ବର ଉତ୍ତପ୍ତ ସହର ହୋଇଥିଲା। ଏଥିସହିତ ଭୁବନେଶ୍ବର ତାପମାତ୍ରା ୧୯୪୮ ମସିହା ପରେ ସବୁଠୁ ଅଧିକ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ‘କହିଛନ୍ତି ଯେ ଓଡ଼ିଶା ହିଟ୍‌​ୱେଭ୍‌ ପ୍ରବଣ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ୧୯୯୮, ୨୦୦୧, ୨୦୦୩, ୨୦୦୫ ଆଦି ବର୍ଷମାନଙ୍କରେ ରାଜ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ଦେଖିଛି। ହେଲେ ଏଥର ଟିକେ ସ୍ଥିତି ଆଉ ଅଧିକ ଗମ୍ଭୀର ହୋଇପାରେ। ଅର୍ଥାତ୍ ପ୍ରତିବର୍ଷ ରାଜ୍ୟରେ ୫ରୁ ୬ ଦିନ ହିଟ୍ଓ୍ବେଭ୍‌ ସ୍ଥିତି ସୃଷ୍ଟି ହେଉଥିଲା, ଏଥର ଏହି ଦିନର ସଂଖ୍ୟା ବଢ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ସେ କହିଛନ୍ତି।

ସୂଚନାଥାଉକି, ରାଜ୍ୟର ୧୮ଟି ସହରରେ ତାତି ୪୦ ଡିଗ୍ରୀ ଉପରେ ଥିଲା ବୁଧବାର। ବୁଧବାର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାର ୩ ସହର ରହିଛି। ଭୁବନେଶ୍ୱର ଶୀର୍ଷରେ ଥିବାବେଳେ ୪୩.୬ ଡିଗ୍ରୀ ତାତି ସହ ବାରିପଦା ଦ୍ୱିତୀୟ ଓ ୪୩ ଡିଗ୍ରୀ ତାତି ରେକର୍ଡ ହୋଇଥିବା ବାଲେଶ୍ୱର ବିଶ୍ୱର ପଞ୍ଚମ ଉତ୍ତପ୍ତ ସହର। ଚାନ୍ଦବାଲି ତାପମାତ୍ରା ୪୨.୬ ଡିଗ୍ରୀ ଥିଲା, ଏହା ତାଲିକାର ୧୨ତମ ସ୍ଥାନରେ ରହିଛି। ଏଥିରୁ ଅନୁମାନ କରାଯାଇପାରେ, ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି କିଭଳି ସାଂଘାତିକ ରୂପ ନେଇଛି ।ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ମାଲକାନଗିରିରେ ଅସ୍ୱାଭାବିକ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ।

Comments are closed.