ଉଦ୍ଘାଟିତ ହେଲା ଆସ୍କା ସେତୁ

ଆସ୍କା: ଉଦ୍ଘାଟିତ ହେଲା ବହିପ୍ରତିକ୍ଷୀତ ଆସ୍କା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିଛନ୍ତି। ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ରିପ୍ଲେସ କରାଯାଇ ଏହାକୁ ନିର୍ମାଣ କରାଯାଇଛି। ସହରର କଇଁଫୁଲିଆରେ ତିନି କୋଟି ଟଙ୍କାରେ ବ୍ୟୟରେ ନିର୍ମାଣ ହୋଇଥିବା ଆସିକା ସୋରଡା ପିପଳପଙ୍କା-ଗାଜଲବାଡିକୁ ସଂଯୋଗ କରୁଥିବା ହାଇଲେଭଲ ସେତୁକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପୂର୍ବରୁ କଇଁଫୁଲିଆ ସେତୁ ନାମରେ ଥିବା ବେଳେ ବନ୍ୟା ସମୟରେ ଆସିକା ଭୂବନେଶ୍ଵର ଯାତାୟତ ଠପ୍ ହୋଇଯାଉଥିଲା। ଏବେ ଆସ୍କା ସେତୁ ନିର୍ମାଣ ହେବା ପରେ ବର୍ଷ ବର୍ଷର ଯାତାୟତ ସମସ୍ୟା ସମାଧାନ ହୋଇପାରିବ। ଉଦଘାଟନି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ। ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ୱରକୁ ଦୂରତା ମଧ୍ୟ କମିବ। ଏହାଦ୍ୱାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯାତାୟତରେ ସୁବିଧା ଆସିବ।
ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର। ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ ପାଇଁ ସୁନାମ କରିଛନ୍ତି। ଏହି ସେତୁ ଦ୍ୱାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି। ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ମୋ ସରକାର ଭିତ୍ତିଭୂମିର ବିକାଶ ପାଇଁ ନିଷ୍ଠାର ସହ କାମ କରୁଛି।
ଚଳିତ ଆର୍ଥିକ ବର୍ଷରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ଼ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହ ବିଜୁ ସେତୁ ଯୋଜନାରେ ପ୍ରାୟ ୧୦୦୦ କୋଟି ଟଙ୍କା ଓ ଗ୍ରାମ ସଡକ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଭିତ୍ତିଭୂମି ଆପଣମାନଙ୍କ ସମ୍ପତ୍ତି। ଆପଣଙ୍କ ଟଙ୍କାରେ, ଆପଣଙ୍କ ସୁବିଧା ପାଇଁ ଏହା ନିର୍ମାଣ କରାଯାଉଛି। ତେଣୁ ଆପଣମାନେ ଏହି ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି।
ତେବେ ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି। ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଦେଉଛି। କିନ୍ତୁ ବିପଦ ଏବେ ବି ଯାଇନାହିଁ। ଆପଣମାନଙ୍କୁ ମୋର ନିବେଦନ, ଆପଣମାନେ କୋଭିଡର ସବୁ ନିୟମକୁ ପାଳନ କରନ୍ତୁ। ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ ଜାଗାରେ ସାମାଜିକ ଦୂରତା ବଜାୟ ରଖନ୍ତୁ।