Odisha Link
Bridging the Missing Links in Odisha

ନୟାଗଡ଼: କରୋନା ପଜିଟିଭ୍‌ ଜଣାପଡ଼ିବାରୁ ଆତ୍ମହତ୍ୟା କଲେ ଦମ୍ପତି

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ଉଭୟଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଭୟ ଓ ବିଷାଦରେ ଆତ୍ମହତ୍ୟା କରିଛନ୍ତି ଗୋଟିଏ ଦମ୍ପତି।

ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳରେ। ଦମ୍ପତିଙ୍କ ପୁଅ ପୁରୀରେ ଚାକିରି କରୁଥିବା ବେଳେ ପୂର୍ବରୁ ପୁଅ-ବୋହୂ କୋଭିଡ୍‌ ପଜିଟିଭ୍‌ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ବାପା-ମା’ ମଧ୍ୟ ନିଜର ନମୁନା ପରୀକ୍ଷା ପାଇଁ ଦେଇଥିଲେ। ଗତ ୨୭ ତାରିଖରେ ଉଭୟେ ପଜିଟିଭ୍‌ ବୋଲି ରିପୋର୍ଟ ଆସିଥିଲା। ଏପ୍ରିଲ ୨୮ରେ ସେମାନେ ଔଷଧ ନେଇ ଘରକୁ ଯାଇଥିଲେ।

ତେବେ ଦୁଇଦିନ ଧରି ସେମାନେ ଘରୁ ନ ବାହାରିବାରୁ ଗ୍ରାମାବସୀ ସନ୍ଦେହ କରି ପୁଲିସରେ ଖବର ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କର ମୃତଦେହ ଝିଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ବି କୋଭିଡ୍‌ ଭୟରେ ବା ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି। ଅନ୍ୟପଟେ ଚିଟ୍‌ଫଣ୍ଡରେ ଟଙ୍କା ବୁଡ଼ିବା ନେଇ ବୃଦ୍ଧ ଦମ୍ପତି ଚାପରେ ଥିଲେ ବୋଲି କେହି କେହି ସୂଚନା ଦେଇଛନ୍ତି।