Odisha Link
Bridging the Missing Links in Odisha

ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ ନେଇ ରାଗିଲେ ଦିଦି, ମୋଦିଙ୍କୁ ଅଧଘଣ୍ଟା କରାଇଲେ ଅପେକ୍ଷା

କ୍ଷୟକ୍ଷତି ସମ୍ପର୍କୀତ କିଛି ତଥ୍ୟ ଦେଇ ଅନ୍ୟ ଏକ ବୈଠକ ଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ବସିଥିବା ବେଳେ ଚାଲି ଗଲେ

କୋଲକାତା: ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଅଧଘଣ୍ଟା ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମିଟିଂ ଶେଷ ଆଡକୁ ଦିଦି ଆସି କିଛି କାଗଜଡପତ୍ର ଦେଇ ଚାଲିଗଲେ। ବାତ୍ୟା ୟାସରେ ପ୍ରଭାବିତ କ୍ଷୟକ୍ଷତି ସମୀକ୍ଷା କରିବାକୁ ସକାଳେ ଓଡ଼ିଶା ପରେ ପଶ୍ଚିମବଙ୍ଗ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

ପ୍ରଧାନମନ୍ତ୍ରୀ ଆସୁଥିବା ନେଇ ଏବଂ ସମୀକ୍ଷା ବୈଠକ କରିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଥିଲେ। ତଥାପି ଦିଦି ବିଳମ୍ବରେ ଆସିଥିଲେ। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟପାଳ ଜଗଦୀପ ଧନକଡ ପ୍ରାୟ ୩୦ ମିନିଟ ମୁଖ୍ୟମନ୍ତ୍ରୀଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ। ଦିଦି ବୈଠକ ଗୃହକୁ ଆସି କ୍ଷୟକ୍ଷତି ସମ୍ପର୍କୀତ କିଛି ତଥ୍ୟ ଦେଇ ଅନ୍ୟ ଏକ ବୈଠକ ଥିବା ଦର୍ଶାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ବସିଥିବା ବେଳେ ଚାଲିଯାଇଥିଲେ ମମତା।

ସେପଟେ ବୈଠକରେ ପଶ୍ଚିମବଙ୍ଗ ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ରାଜ୍ୟପାଳ ଜଗଦୀପ ଧନକଡ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟାନ ମନ୍ତ୍ରୀ ଏବଂ ପଦାଧିକାରୀ ଯୋଗଦେଇଥିଲେ। ଖବର ମୁତାବକ ବୈଠକରେ ଶୁଭେନ୍ଦୁ ଅଧିକାରୀ ଯୋଗଦେଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇଥିଲେ। ଯେଉଁଥିପାଇଁ ଅଧଘଣ୍ଟା ବିଳମ୍ବରେ ପହଁଚିଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବୈଠକ ସାରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଶାକୁ ଅତିରିକ୍ତ ସହାୟତା ରାଶି ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ୫୦୦ କୋଟି ଘୋଷଣା ହୋଇଛି।

Leave A Reply

Your email address will not be published.