Odisha Link
Bridging the Missing Links in Odisha

ଆନ୍ତର୍ଜାତିକ ପୁରସ୍କାର ପାଇଲା ଆର୍ଟ ଅଫ୍‍ ଗିଭିଂ

ଚଳିତ ବର୍ଷ 'ଆର୍ଟ ଅଫ୍‌ ଗିଭିଂ' ସମେତ ଆଉ ୭ଟି ପ୍ରକଳ୍ପକୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି।

ଭୁବନେଶ୍ୱର: ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍‍ ଓ କିସ୍‍ ପ୍ରାୟୋଜିତ ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଟେଲରିଜ୍‍ ନେଟ୍‍ୱାର୍କ ଓ ମାକ୍‍ଜନତ୍‍ ଫାଉଣ୍ଡେସନ୍‍ ଦ୍ୱାରା ପ୍ରତିବର୍ଷ ମାନବିକତା ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ମୂଲ୍ୟାୟନ କରି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ‘ଆର୍ଟ ଅଫ୍‌ ଗିଭିଂ’ ସମେତ ଆଉ ୭ଟି ପ୍ରକଳ୍ପକୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି।

୨୦୨୧ରେ ମୋଟ ୧୫ଟି ଦେଶରୁ ୨୮ଟି କାର୍ଯ୍ୟକ୍ରମ ଏଥିରେ ସାମିଲ ହୋଇଥିବା ବେଳେ ସେସବୁ ମଧ୍ୟରୁ ୮ଟି ଦେଶର ୧୦ଟି ବିଶ୍ୱବିଦ୍ୟାଳୟକୁ ଏହି ମାକ୍‍ଜନତ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମନୋନୀତ କରାଯାଇଛି। ସେଥି ମଧ୍ୟରୁ ଭାରତର ‘ଆର୍ଟ୍ ଅଫ୍‍ ଗିଭିଂ’ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପୁରସ୍କାର ପାଇଁ ଦକ୍ଷିଣ ଆଫ୍ରିକାର ରୋଡେସ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡର ୟୁନିଭର୍‍ସିଟି ଅଫ୍‍ ମାଞ୍ଚେଷ୍ଟର ତୃତୀୟ ସ୍ଥାନରେ ରହିଛି। ପୁରସ୍କାର ବାବଦକୁ ୫ହଜାର ଆମେରିକାନ୍‍ ଡଲାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି,

ଆର୍ଟ ଅଫ୍‍ ଗିଭିଂ’କୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।

ସୂଚନାଯୋଗ୍ୟ, ‘ଆର୍ଟ ଅଫ୍‍ ଗିଭିଂ’ ଜରିଆରେ କିଟ୍‍, କିସ୍‍ ଓ କିସ୍‍ ଫାଉଣ୍ଡେସନ୍‍ ଦ୍ବାରା ବର୍ଷ ତମାମ ବ୍ୟାପକ ଜନହିତକର କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଥାଏ। ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ମାକ୍‍ଜନତ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଏହି ରାଶି କିସ୍‍ ଫାଉଣ୍ଡେସନ୍‍କୁ ପ୍ରେରଣ କରାଯାଇଛି। ଶ୍ରୀ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମ ୨୦୧୩ ମସିହାରୁ ସମାଜର ବିଭିନ୍ନ କଲ୍ୟାଣମୂଳକ, ଗଠନମୂଳକ ଓ ସଂସ୍କାର ମୂଳକ କାର୍ଯ୍ୟ କରିଆସୁଛି।