Odisha Link
Bridging the Missing Links in Odisha

୫ ଜି ମାମଲାରେ ଜୁହି ଚାୱଲାଙ୍କ ଆବେଦନ ଖାରଜ,୨୦ ଲକ୍ଷ ତଣ୍ଡ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଝଟକା। ଭାରତରେ ୫ଜି ନେଟୱର୍କ ସେବା ଆରମ୍ଭ ନ କରିବା ପାଇଁ କରିଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଭିତ୍ତିହୀନ ଆବେଦନ କରିଥିବାରୁ କୋର୍ଟ ଜୁହିଙ୍କ ଉପରେ ୨୦ ଲକ୍ଷ ଟଙ୍କା ଫାଇନ ଲାଗୁ କରିଛନ୍ତି। ଏହି ଜରିମାନା ରାଶିକୁ ଗୋଟିଏ ସପ୍ତାହ ମଧ୍ୟରେ କୋର୍ଟରେ ଜମା କରିବାକୁ ଜୁହିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ ଭିଡିଓ କନଫରେନ୍ସିଂରେ ଶୁଣାଣି କରୁଥିବା ବେଳେ ଜୁହି ଏହାକୁ ସୋଶାଲ ମିଡିଆରେ ଶେୟାର କରିଥିଲେ। ଏହି କାରଣରୁ କୋର୍ଟ ତାଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ଜୁହି ତାଙ୍କ ଆବେଦନରେ କହିଥିଲେ ଯେ ୫ଜି ନେଟୱର୍କରୁ ବାହାରୁଥିବା ବିକିରଣ ଲୋକ ଓ ପରିବେଶ ଉପରେ କ’ଣ ପ୍ରଭାବ ପକାଉଛି, ତା’ର ଗବେଷଣା କରାଯାଉ। ଗବେଷଣା ଶେଷ ନ ହେବା ଯାଏ ଏହାର କାର୍ଯ୍ୟକାରିତା ଉପରେ ରୋକ ଲଗାଇବାକୁ ସେ ନିବେଦନ କରିଥିଲେ।

ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ୮୧ ମୁତାବକ ଆବେଦନ ଦେବା ପୂର୍ବରୁ ନୋଟିସ କରିବା ଜରୁରୀ। ନଚେତ୍ ସେକ୍ସନ ୮୨ ମୁତାବକ ଏହାକୁ ଖାରଜ କରାଯିବ। କେବଳ ଶସ୍ତା ଲୋକପ୍ରିୟତା ପାଇଁ ଏପରି ଏକ ଆବେଦନ କରାଯାଇଛି। ଏପରି ଆବେଦରେ କୌଣସି ଯର୍ଥାଥତା ନାହିଁ। କେବଳ ଅଦରକାରୀ ଭାବେ ଏହାକୁ ଫାଇଲ କରାଯାଇଛି। ଆବେଦନରେ କୌଣସି ବିଜ୍ଞାନିକଭିତ୍ତିକ ତଥ୍ୟ ନାହିଁ। ଆବେଦନକାରୀ ଚାହିଁଥିଲେ ପ୍ରଥମେ ସରକାରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଅବଗତ କରାଇ ପାରିଥାଆନ୍ତେ। କିନ୍ତୁ ସେ ସେମିତି କିଛି ନ କରି ସିଧା କୋର୍ଟରେ ଆବଶ୍ୟକ ନଥାଇ ଆବେଦନ କରିଛନ୍ତି। ଏହାଦ୍ୱାରା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ ହୋଇଛି।

ଶୁଣାଣି ବେଳେ ଆବେଦନକାରୀ ଭିଡିଓ ଲିଙ୍କକୁ ସୋଶାଲ ମିଡିଆରେ ଶେୟାର କରିଥିଲେ। ଏହା ଆଇନର ଦୁରୂପଯୋଗ। ଲିଙ୍କ ଶେୟାର ଯୋଗୁ ଶୁଣାଣିରେ ୩ଥର ବିଭ୍ରାଟ ସୃଷ୍ଟି ହୋଇଥିଲା। ଏଥିସହ କିଛି ଲୋକ ଶୁଣାଣି ସମୟରେ ପ୍ରବେଶ କରି ଗୀତ ଗାଇଥିଲେ। ଏଥିରେ କୋର୍ଟ ବିରକ୍ତି ପ୍ରକାଶ କରି ଅନାଧିକାର ଭାବେ ପ୍ରବେଶ କରିଥିବା ଲୋକଙ୍କୁ ଚିହ୍ନଟ ପାଇଁ କହିଛନ୍ତି। ଆବେଦନକାରୀଙ୍କୁ ଏଥିପାଇଁ ୨୦ ଲକ୍ଷ ଟଙ୍କାର ଫାଇନ ଦାଖଲ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। 

Leave A Reply

Your email address will not be published.