Odisha Link
Bridging the Missing Links in Odisha

ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ରେ ପଢ଼ିବେ ପିଲା, ୧୩ ଜିଲ୍ଲା ସାମିଲ

ଭୁବନେଶ୍ବର: ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ ଲାଇଭ୍‌ କ୍ଲାସେସ୍‌ କରାଯିବ। କରୋନା ଯୋଗୁଁ ପ୍ରାୟ ୧୫ ମାସ ହେଲା ପ୍ରଥମରୁ ୮ମ ‌ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆଦୌ ହୋଇପାରି ନାହିଁ। ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ଦୁଇ ମାସ ହୋଇଥିଲା। ଅନ୍‌ଲାଇନ୍‌ ଯଥା ଟିଭି, ରେଡ଼ିଓ, ଇଣ୍ଟରନେଟ୍‌, ହ୍ବାଟସପ୍‌ ମାଧ୍ୟମରେ ପିଲାଙ୍କୁ ପଢ଼ାଯାଇଥିଲେ ମଧ୍ୟ ତାହା ୫୦% ବି ସଫଳ ହୋଇ ନାହିଁ।

୨୦୨୦-୨୧ ଶିକ୍ଷାବର୍ଷରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୫ ଲକ୍ଷ ପିଲା ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏଥର ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପନ୍ଥା ଗ୍ରହଣ କରାଯାଇଛି। ୟୁ-ଟ୍ୟୁବ୍‌ ଲାଇଭ୍‌ କ୍ଲାସେସ୍‌ କରାଯିବ। ଜୁନ୍‌ ୨୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାରୁ ଆସନ୍ତା ୧୭ ତାରିଖ ପୂର୍ବରୁ ଦୁଇଟି କ୍ଲାସରୁମ୍‌ ପ୍ରସ୍ତୁତ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପିନ୍ଦ୍ର ସିଂ ପୁନିଆ ଆଜି ୧୩ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି।

ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ସ୍କୁଲ/ଟ୍ରାନ୍ସଫର୍ମେସନ ହାଇସ୍କୁଲରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି। ଖୋର୍ଧା ସମେତ ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋ‌ରାପୁଟ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, ନୟାଗଡ଼, ଭଦ୍ରକ, ବାଲେଶ୍ବର ଓ ସମ୍ବଲପୁର ଜିଲ୍ଲାରେ ପ୍ରାରମ୍ଭିକ ଭାବେ ଏହି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.