Odisha Link
Bridging the Missing Links in Odisha

‘ବାବା କା ଢାବା’ ମାଲିକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ସୋଶିଆଲ୍‌ ମିଡିଆ ଜରିଆରେ ଚର୍ଚ୍ଚାକୁ ଆସି ରାତାରାତି ଷ୍ଟାର ପାଲଟିଥିବା ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ରହୁଥିବା କାନ୍ତା ପ୍ରସାଦ ମଦ ସହିତ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସୂଚନା ମୁତାବକ, ଗତ କାଲି କାନ୍ତା ପ୍ରସାଦ ମଦ ସହିତ ନିଦ ବଟିକା ଖାଇ ଅତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏବେ ସେ ସାମାନ୍ୟ ସୁସ୍ଥ ଥିବା ନେଇ ଡାକ୍ତର କହିଛନ୍ତି। ଏନେଇ ମେଡିକାଲ ତରଫରୁ ପୋଲିସକୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ,  ବାବା କା ଢାବାକୁ ନେଇ କାନ୍ତା ପ୍ରସାଦ ବେସ୍ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସେ ସାରା ଦେଶରେ ବାବା କି ଢାବା ନାମରେ ପରିଚିତ ହୋଇଥିଲେ। ତାଙ୍କୁ ସହାୟତା ଯୋଗାଇ ଦେବାକୁ ଅନେକ ଲୋକ ହାତ ବଢାଇଥିଲେ। ଏହାପରେ ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା ଏବଂ ସେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ।

ମାତ୍ର ସେହି ରେଷ୍ଟୁରାଣ୍ଟଟି ୪ ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା। ଏହି କାରଣରୁ ସେ ପୁଣି ତାଙ୍କ ଢାବାକୁ ଫେରି ଆସିଥିଲେ। ଏହାକୁ ନେଇ ତାଙ୍କୁ ଦେଶ ଓ ଦୁନିଆରେ ପରିଚିତ କରାଇଥିବା ୟୁଟ୍ୟୁବର ଗୌରବ ବାସନ କହିଥିଲେ କି ‘କର୍ମ ଉପରେ ଏହି ଦୁନିଆରେ ଆଉ କିଛି ନାହିଁ’।

ୟୁଟ୍ୟୁବର ଗୌରବ ବାସନ କାନ୍ତା ପ୍ରସାଦ ଓ ତାଙ୍କ ଢାବାର ଏକ ଭିଡିଓ ସୁଟିଂ କରି ସେୟାର କରିଥିଲେ। ଏଥିରେ କାନ୍ତା ପ୍ରସାଦ କାନ୍ଦି କାନ୍ଦି କହୁଥିଲେ କି ତାଙ୍କର ୨ ଟି ପୁଅ ଓ ଗୋଟିଏ ଝିଅ ଥିଲେ ବି କେହି ତାଙ୍କୁ ସାହାଯ୍ୟ କରୁ ନାହାନ୍ତି। ସେ ଓ ତାଙ୍କ ପତ୍ନୀ ଦିନ ସାରା ଢାବାରେ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତା ରାତି ବାବାଙ୍କର ଭାଗ୍ୟ ବଦଳି ଯାଇଥିଲା।

Leave A Reply

Your email address will not be published.