ଟଙ୍କା ଦିଅ ମାଟ୍ରିକ୍ ପାସ୍ କରାଇ ଦେବୁ: ୮ ହଜାରରେ ଫାଷ୍ଟ ଡିଭିଜନ୍, ୬ ହଜାରରେ ସେକେଣ୍ଡ ଡିଭିଜନ୍
ବୀରମିତ୍ରପୁର: ଟଙ୍କା ଦିଅ ମାଟ୍ରିକ୍ ପାସ୍ କରାଇ ଦେବୁ। ଏଭଳି କଲ୍ ଆସୁଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍ କୁମଝରୀଆ ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଖକୁ` ମୁଁ କଟକ ବୋର୍ଡ ଅଫିସରୁ କହୁଛି… ତୁମ ପିଲା ଅମୁକ ବିଷୟରେ ଫେଲ୍ ହୋଇଛି। ଅନ୍ଲାଇନ୍ରେ ଟଙ୍କା ଟ୍ରାନ୍ସଫର କଲେ ତୁମ ପିଲାକୁ ପାସ୍ କରାଇ ଦିଆଯିବ।
ଏହି କଲ୍ କିଏ କରୁଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଫୋନ୍ କରୁଥିବା ବ୍ୟକ୍ତି ଜଣକ ହିନ୍ଦୀରେ କଥା ହେଉଛି। ସେ କହୁଛନ୍ତି, “ଆସନ୍ତା ଜୁନ୍ ଶେଷ ସପ୍ତାହରେ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଉଛି। ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆପଣଙ୍କ ପିଲା ସବୁ ବିଷୟରେ ପାସ୍ କରିଛି। କେବଳ ଗଣିତ ଓ ବିଜ୍ଞାନ ଦୁଇଟି ବିଷୟରେ ଫେଲ୍ ହୋଇଛି। ଯଦି କହିବେ, ଆମେ ଆପଣଙ୍କ ପିଲାକୁ ପ୍ରଥମ ଶ୍ରେଣୀରେ ପାସ୍ କରାଇଦେବୁ। ଏଥିପାଇଁ ଆପଣ ବୋର୍ଡ ଅଧିକାରୀଙ୍କୁ ୮୦୦୦ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ୬୦୦୦ ଟଙ୍କା ଦେବାକୁ ପଡ଼ିବ। ଯେତେ ଶୀଘ୍ର ବୋର୍ଡ ଅଧିକାରୀଙ୍କୁ ଅନ୍ ଲାଇନରେ ଟଙ୍କା ପଠାଇବେ, ସେତେ ଶୀଘ୍ର ଆପଣଙ୍କ କାମ ହୋଇଯିବ।”
ଗୁରୁବାର ଦିନ କୁମଝରୀଆ ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଖକୁ ଏପରି ଫେକ୍ କଲ ଆସୁଛି। ଫୋନ୍ କରୁଥିବା ବ୍ୟକ୍ତି କାହାକୁ ଗଣିତ, ଇଂରାଜୀ ତ ଅନ୍ୟ କାହାକୁ ଭୂଗୋଳ, ସଂସ୍କୃତରେ ଫେଲ୍ ବୋଲି କହି ଭୟଭୀତ କରାଉଛନ୍ତି। କରୋନା ଲକ୍ଡାଉନ୍ର ବେଳେ ସାଇବର ଠକମାନେ ନିରୀହ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାଁ, ପିତାଙ୍କ ନାଁ ଓ ଠିକଣା, ଫୋନ ନମ୍ବର ତାଲିକା ବୋର୍ଡ ଅଫିସରୁ ହାତେଇଥିବା ଅଭିଯୋଗ ହେଉଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।