Odisha Link
Bridging the Missing Links in Odisha

କରୋନା ସମୟରେ ଆଶାର କିରଣ ସାଜିଛି ଯୋଗ: ମୋଦି

ନୂଆଦିଲ୍ଲୀ: ଆଜି ଅନ୍ତର୍ଜତୀୟ ଯୋଗ ଦିବସ। ଭାରତ ସମେତ ଏକାଧିକ ଦେଶରେ ଆଜି ଅନ୍ତର୍ଜତୀୟ ଯୋଗ ଦିବସ ପାଳନ କରାଯାଉଛି। ୭ମ ଅନ୍ତର୍ଜାତୀୟ ଯୋଗ ଦିବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମହାମାରୀ ସମୟରେ ଯୋଗ କେମିତି ସୁସ୍ଥ ରହିବାକୁ ଅସ୍ତ୍ର ସାଜିଛି, ସେ ବିଷୟରେ ମୋଦି ଦେଶବାସୀଙ୍କୁ ବୁଝାଇଛନ୍ତି। ଏଥିସହ ଯୋଗକୁ ବିଶ୍ୱର ସବୁ କୋଣରେ ପହଞ୍ଚଇବାକୁ ସମସ୍ତେ ଚେଷ୍ଟା କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି।

ସେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଭାରତ ଯୋଗକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏବେ ଏମ-ଯୋଗ ଆପ୍‌ ଆରମ୍ଭ ହେବ। ଏଥିରେ ବିଭିନ୍ନ ଯୋଗର ତାଲିମ ଭିଡିଓ ବିଶ୍ୱର ସବୁ ପ୍ରାନ୍ତରେ ଭିନ୍ନଭିନ୍ନ ଭାଷରେ ଲୋକଙ୍କ ପାଖରେ ପହଞ୍ଚାଯିବ। ଏହା ଆମର ‘ୱାନ ୱାର୍ଲ୍ଡ, ୱାନ ହେଲ୍ଥ’ ଲକ୍ଷ୍ୟକୁ ପୂରଣ କରିବ। ଆମ ସମସ୍ତଙ୍କୁ ଯୋଗ କେମିତି ବିଶ୍ୱର ପ୍ରତିଟି କୋଣ ଅନୁକୋଣରେ ପହଞ୍ଚିବ, ସେଥିପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ପଡ଼ିବ। ସବୁ ବୟସର ଲୋକଙ୍କ ପାଇଁ ଯୋଗ ସମାଧାନର ବାଟ ଭାବେ ଉଭା ହୋଇଛି।

ଆଧୁନିକ ଯୁଗର ଟେକ୍ନୋଲଜି ଓ ପ୍ରାଚୀନ ପରମ୍ପରାର ମିଶ୍ରଣ ସମସ୍ତଙ୍କୁ ଲାଭ ଦେବ। ଯୋଗ ସବୁବେଳେ ତା’ର ସକାରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପକାଇ ଚାଲିଛି। ଯୋଗ ଆମକୁ ନେଗେଟିଭିଟିରୁ କ୍ରେଏଟିଭିଟି କରିଛି। ଆମ ମାନଙ୍କର ଇଚ୍ଛାଶକ୍ତି ସବୁ ପ୍ରକାରର ନକାରାତ୍ମକ ପ୍ରଭାବରୁ ଆମକୁ ମୁକ୍ତି ଦେଇଥାଏ। ପ୍ରାଣାୟମ ଓ ଅନ୍ୟ ଯୋଗ ବ୍ୟାୟାମ ଦ୍ୱାରା ଆମ ମଧ୍ୟରେ ଥିବା ଭଲ ଗୁଣକୁ ଆମେ ଚିହ୍ନଟ କରିପାରିଥାଉ।

ଆଜି ଯେତେବେଳେ ସାରା ବିଶ୍ୱ ମହାମାରୀ ସହ ଲଢ଼େଇ କରୁଛି ସେତେବେଳେ ଯୋଗ ସମସ୍ତଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି। ‘ସୁସ୍ଥତା ପାଇଁ ଯୋଗ’ ଥିମ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାୟମ କରିବାକୁ ଉତ୍ସାହିତ କରିଛି। ମୁଁ ସବୁ ରାଷ୍ଟ୍ର, ଧର୍ମ ଓ ବର୍ଗର ଲୋକ ସୁସ୍ଥ ରୁହନ୍ତୁ ବୋଲି ପ୍ରାର୍ଥନା କରୁଛି।

ଯୋଗ ଶ୍ୱାସକ୍ରିୟାକୁ ସଚଳ କରିବାରେ ଯୋଗ ବେଶ ଫାଇଦା ଦେଇଥାଏ। କରୋନା ବିରୋଧରେ ଲଢ଼େଇ କରିବାକୁ ସହାୟକ ହୋଇଥାଏ। କୋଭିଡି ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ସୁସ୍ଥ ହେବାରେ ଯୋଗର ଭୂମିକାକୁ ଭଲ ଭାବେ ବୁଝିଛନ୍ତି। ସେମାନେ ଲୋକଙ୍କୁ ଯୋଗ କରିବାକୁ ବୁଝାଉଛନ୍ତି। ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ମଧ୍ୟ ଯୋଗର ଉପକାରିତାକୁ ସ୍ୱୀକାର କାରିଛନ୍ତି।

Leave A Reply

Your email address will not be published.