Odisha Link
Bridging the Missing Links in Odisha

ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପାଙ୍କୁ UAE ଗୋଲ୍ଡେନ ଭିସା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଝିଅ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ଭାବେ ମିଳିଛି UAE ଗୋଲ୍ଡେନ ଭିସା। ଫଳରେ ୟୁଏଇରେ ୧୦ ବର୍ଷ ଯାଏ ସେ ବିନା ବାଧାରେ ବସବାସ କରିପାରିବେ। ୨୦୧୯ରେ ଏହି ଗୋଲ୍ଡେନ୍ ଭିସାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହି ଭିସା ଦ୍ୱାରା ୫ ବର୍ଷ କିମ୍ବା ୧୦ ବର୍ଷ ଯାଏ ବିନା ପ୍ରତିବନ୍ଧକରେ ବିଶ୍ୱର ଯେକୌଣସି ପ୍ରତିଷ୍ଠିତ ବ୍ୟକ୍ତି ୟୁଏଇରେ ରହିପାରିବେ। ୨୦୦୭ରୁ ସେ ଦୁବାଇରେ ରହି ଆସୁଛନ୍ତି।

ବିଶେଷ କରି ଯେଉଁମାନେ କଳା, ସାହିତ୍ୟ, ସଂସ୍କୃତି, ସୃଜନଶୀଳତା, ଇତିହାସ ଏବଂ ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ସେମାନଙ୍କୁ ୟୁଏଇ ଏହି ଗୋଲ୍ଡେନ୍ ଭିସା ପ୍ରଦାନ କରିଥାଏ। ଏହି ଭିସା ପାଇଥିବା ବ୍ୟକ୍ତି ସେଠାରେ ସମ୍ପୃକ୍ତ କ୍ଷେତ୍ରରେ ନିଜର ଅଧ୍ୟବସାୟ ଜାରି ରଖିପାରିବେ।

ଚାରୁକଳା ପାଇଁ ଦୁବାଇ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମ ଓଡ଼ିଆ ଭାବେ ମୟୂରଭଞ୍ଜର ମୋନା ବିଶ୍ୱରୂପାଙ୍କୁ ଏହି ଅଧିସ୍ୱୀକୃତି ମିଳିଛି। ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍‌ କରି ବିଶ୍ୱରୂପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବାରିପଦା ସ୍କୁଲ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରୁ ଫାଇନ ଆର୍ଟସରେ ଡିପ୍ଲୋମା କରିଥିବା ବିଶ୍ୱରୂପା ଇଟାଲୀର ମିଲାନରୁ ଫ୍ୟାଶନ ଏବଂ ଟେକ୍ସଟାଇଲରେ ମାଷ୍ଟର ଡିଗ୍ରୀ କରିବା ପରେ ଦୁବାଇର ଏକାଡେମିକ୍ କ୍ଷେତ୍ରରେ ଏବଂ ଡିଜାଇନ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ଆଠ ବର୍ଷ ହେବ ସକ୍ରିୟ ରହିଛନ୍ତି। ସେ କହିଛନ୍ତି, ଏହି ଦୀର୍ଘକାଳୀନ ରହଣି ଭିତରେ ସାଂସ୍କୃତିକ ବିନିମୟ ଏବଂ ଅନ୍ୟ କଳାକାରଙ୍କ ସହ ସହଭାଗୀତାରେ କାମ କରିବାର ସୁଯୋଗ ତାଙ୍କୁ ମିଳିଛି। ନିଜ ଦେଶର ସଂସ୍କୃତିର ଐତିହ୍ୟକୁ ନେଇ ସେ ପ୍ରତିନିଧିତ୍ୱ କରୁଥିବା ସେ କହିଛନ୍ତି।

Leave A Reply

Your email address will not be published.