Odisha Link
Bridging the Missing Links in Odisha

ଜୁଲାଇ ୭ରୁ ୧୭ କଂଗ୍ରେସ କରିବ ପ୍ରତିବାଦ

 ୧୫ରେ ପେଟ୍ରୋଲ ଓ ଡିଜେଲ ନକିଣିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ଦିନକୁ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଦର ବଢ଼ିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ଏସବୁକୁ ନଜରରେ ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସହିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ। ସେ ଆହୁରି କହିଛନ୍ତି ଯେ, ଓଡ଼ିଶାବାସୀ ଜୁଲାଇ ୧୫ ତାରିଖରେ ସ୍ୱତଃପୂର୍ତ୍ତ ଭାବେ ସାମିଲ ହୋଇ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନକିଣିବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ଏଥିପାଇଁ ଆମେ କାହାକୁ ବାଧ୍ୟ କରିବୁ ନାହିଁ। କୌଣସି ସ୍ଥାନରେ ପିକେଟିଂ କରିବୁ ନାହିଁ କି ପେଟ୍ରୋଲ ପମ୍ପ ଆଗରେ ଛିଡ଼ା ହେବୁ ନାହିଁ। ଆମେ କେବଳ ରାଜ୍ୟବାସୀଙ୍କୁ ନିବେଦନ କରୁଛୁ ଯେ ଯେଉଁମାନେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି କିଣୁଛନ୍ତି, ସେମାନେ ସେହି ଗୋଟିଏ ଦିନ ଏସବୁ ସାମଗ୍ରୀ କିଣନ୍ତୁ ନାହିଁ। ତା’ହେଲେ ହୁଏତ ଏହାର କିଛି ପ୍ରଭାବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପଡ଼ିବ।