Odisha Link
Bridging the Missing Links in Odisha

ଚଳିତବର୍ଷ ହେବନି ପଞ୍ଚାୟତ ପୁନର୍ଗଠନ

ଭୁବନେଶ୍ୱର: ଚଳିତବର୍ଷ ହେବନି ପଞ୍ଚାୟତ ପୁନର୍ଗଠନ। ଯେତିକି ପଞ୍ଚାୟତ ରହିଛି ସେତିକି ରହିବ। ଓ୍ୱାର୍ଡ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି ରାଜ୍ୟ ସରକାର। ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହୋଇଥିଲା। କେତେକ ପଞ୍ଚାୟତକୁ ଭାଙ୍ଗି ଏହାର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଫଳରେ ଚଳିତ ଥର ଆଉ ପୁନର୍ଗଠନର ଆବଶ୍ୟକତା ନାହିଁ।

ଏହି ନିଷ୍ପତ୍ତି ପରେ ନିର୍ବାଚନ ପାଇଁ ବେଶୀ ସମୟ ଲାଗୁଥିବା ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ ପାଇଁ ନିଷ୍ପତ୍ତି ହେଲେ କେବଳ ସ୍ଥାନ ସଂରକ୍ଷଣ ଓ ଭୋଟର ତାଲିକା ସଂଶୋଧନ ପାଇଁ ସମୟ ଲାଗିବ। ଏଣୁ ସଠିକ୍ ସମୟରେ ନିର୍ବାଚନ ହେବା ନେଇ ଆଶା ବଢିଛି। ରାଜ୍ୟର ୬୮୦୧ ପଞ୍ଚାୟତ ଓ ୯୨ହଜାର ୨୯ଟି ଓ୍ବାର୍ଡରେ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବାଲାଟ୍ ବାକ୍ସ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି। ୯୨ ହଜାର ବାଲାଟ୍ ବାକ୍ସର ଆବଶ୍ୟକତା ରହିଛି।

ଚଳିତଥର ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏବେ ଯୋଗଯୋଗ ସହିତ ଅନେକ ସେବା ସେମାନଙ୍କ ପାଖରେ ପହଞ୍ଚିଛି। ତେଣୁ ସେଠାରେ ନୂଆଭାବେ ନିର୍ବାଚନ ହେବା ନେଇ ପ୍ରୟାସ ଚାଲିଛି। ୨୦୨୨ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତର ଅବଧି ସରିବ। ଏହା ପୂର୍ବରୁ ନିର୍ବାଚନ ସରିବା କଥା। ମାତ୍ର କରୋନା ପାଇଁ ନିର୍ବାଚନ ବିଳମ୍ଭ ହୋଇପାରେ। ତେବେ ଆଗକୁ ପରିସ୍ଥିତିକୁ ଦେଖି ନିର୍ବାଚନ କମିଶନ୍ ନିଷ୍ପତ୍ତି ନେବେ।

Leave A Reply

Your email address will not be published.