ମୁହଁ ଓ ଥୋଡ଼ିରେ ୭ ଷ୍ଟିଜ୍, ତଥାପି ରିଙ୍ଗ୍କୁ ଓହ୍ଲାଇଥିଲେ ଭାରତୀୟ ବକ୍ସର
![](https://www.odishalink.com/wp-content/uploads/2021/08/Satish-Kumar-Indian-Boxer-750x430.jpg)
ଟୋକିଓ: ମଉଳିଲା ଆଉ ଏକ ପଦକ ଆଶା। ରବିବାର ଖେଳା ଯାଇଥିବା ବକ୍ସିଂ ସୁପର ହେଭି ଅର୍ଥାତ୍ ୯୧ କେଜି ବର୍ଗର କ୍ବାର୍ଟର ଫାଇନାଲ ମୁକାବିଲାରେ ହାରିଗଲେ ବକ୍ସର ସତୀଶ କୁମାର। ସେ ଉଜ୍ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ୩ଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର। ସତୀଶଙ୍କୁ ବାଖୋଦିର ୫-୦ରେ ପରାସ୍ତ କରିଥିଲେ।
ଆଖି ଆଉ ଥୋଡ଼ିରେ ୭ଟି ଷ୍ଟିଜ୍ ପଡ଼ିଥିବା ସତ୍ତ୍ବେ କ୍ବାର୍ଟର ଫାଇନାଲ ମୁକାବିଲା ଖେଳିଥିଲେ ଭାରତୀୟ ବକ୍ସର ସତୀଶ କୁମାର। ଆହତ ହୋଇ କ୍ବାର୍ଟର ଫାଇନାଲ ମୁକାବିଲା ଖେଳିଥିବା ସତୀଶ କୁମାରଙ୍କ ଖେଳ ମନୋଭାବକୁ ନେଇ ଏବେ ସୁବୁଠି ଚର୍ଚ୍ଚାରେ। ପଦକ ଦୌଡ଼ରୁ ବାଦ ପଡ଼ିଛନ୍ତି ସତ କିନ୍ତୁ ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ସତୀଶ କୁମାର। ଅଲିମ୍ପିକ୍ସରେ ସୁପର ହେଭିୱେଟ୍ (+୯୧କେଜି) ବର୍ଗରେ ଭାଗ ନେବାରେ ସତୀଶ ହେଉଛନ୍ତି ପ୍ରଥମ ଭାରତୀୟ ବକ୍ସର। ଏହା ତାଙ୍କର ପ୍ରଥମ ଅଲିମ୍ପିକ୍ସ ଥିଲା।
ସୂଚନାଯୋଗ୍ୟ, ଶନିବାର ଟୋକିଓରୁ ଆଶିଥିଲା ନିରାଶ ଖବର। ୯୧ କିଲୋର ବକ୍ସର ସତୀଶ କୁମାର କ୍ବାର୍ଟର ଫାଇନାଲ୍ ମୁକାବିଲା ଖେଳିବେ ନା ନାହିଁ ତାହା ଉପରେ ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ସତୀଶଙ୍କ ଆଖି ଓ ଥୋଡ଼ିରେ ୭ଟି ଷ୍ଟିଜ୍ ପଡ଼ିଥିଲା।ଏସବୁ ସତ୍ତ୍ବେ ରବିବାର ଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସତୀଶ କ୍ବାର୍ଟର ଫାଇନାଲ ମୁକାବିଲା ଖେଳିଥିଲେ।
ଅପରପକ୍ଷେ ଶନିବାର ଭାରତୀୟ ବକ୍ସିଂ ସଂଘର ସଭାପତି ଅଜୟ ସିଂହ କହିଛନ୍ତି ଯେ, ଡାକ୍ତରଙ୍କ କହିବାନୁସାରେ ହିଁ ସତୀଶ ରିଙ୍ଗକୁ ଓହ୍ଲାଇବେ। ସତୀଶ ରବିବାର ଉଜବେକିସ୍ତାନ ବକ୍ସର ବଖୋଦିର ଜଲୋଲୋଭଙ୍କ ବିରୋଧରେ ରିଙ୍ଗକୁ ଓହ୍ଲାଇବେ।
ଏହା ପୂର୍ବରୁ ପ୍ରିକ୍ଵାର୍ଟରରେ ସତୀଶ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସତୀଶ ୪-୧ରେ ଜାମାଇକା ବକ୍ସରଙ୍କୁ ହରାଇଥିଲେ। ମୁକାବିଲା ଶେଷ ହେବା ପରେ ଭାରତୀୟ ମୁଷ୍ଟିଯୋଦ୍ଧାର ଜଣେ ଅଧିକାରୀ କହିଥିଲେ ଯେ, ଖେଳ ସମୟରେ ସତୀଶଙ୍କ ମୁଣ୍ଡରେ ୩ଥର ଆଘାତ ଲାଗିବା ଫଳରେ କଟ୍ ଲାଗିଛି। ସତୀଶ ଚତୁରତାର ସହ ଖେଳିଥିଲେ ତେଣୁ ସେବିଜୟୀ ହୋଇଥିଲେ।