Odisha Link
Bridging the Missing Links in Odisha

ରାଜ୍ୟସଭାରେ ଗୃହୀତ ହେଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିଲ୍‌-୨୦୨୧

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟସଭାରେ କେନ୍ଦ୍ର ଶାସିତ ଅଂଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଉପରେ ପ୍ରତିକ୍ରିୟା ରଖିବା ପରେ ରାଜ୍ୟସଭାରେ ଏହି ବିଲ୍‌ ଗୃହୀତ ହୋଇଛି।

ଗୃହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଉପରେ ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାର ଲେହ, ଲଦାଖ ଏବଂ କାର୍ଗିଲରେ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଲଦାଖରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଭାରତ ସରକାରଙ୍କ ଲକ୍ଷ୍ୟ।

ଆରକ୍ଷଣ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସାମ୍ବିଧାନିକ ଆରକ୍ଷଣ ଦେବା ପାଇଁ କଟିବଦ୍ଧ। କେବଳ ଓବିସି ବର୍ଗ ନୁହେଁ ବରଂ ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି(ଏସଟି) ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ)ଙ୍କ ପାଇଁ ଆରକ୍ଷଣର ସାମ୍ବିଧାନିକ ବ୍ୟବସ୍ଥା ହୋଇଛି।

ନିକଟରେ ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଂଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକତୋରରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣର ଐତିହାସିକ ନିଷ୍ପତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ପଛୁଆ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଓଡ଼ିଶା ସମେତ ଭାରତବର୍ଷର ୫ ହଜାର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ଉଚ୍ଚ ଶିକ୍ଷାନୁଷ୍ଠାନ ସଂସ୍ଥା ଗୁଡିକରେ ଆରକ୍ଷଣ ପାଇବାକୁ ଯେଉଁମାନେ ହକଦାର୍‌, ସେମାନଙ୍କୁ ସେମାନଙ୍କ ଅଧିକାର ଦିଆଯିବ। ନୂଆ ଶିକ୍ଷା ନୀତି(ଏନଇପି)ରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଶିକ୍ଷା ସହ ଯୋଡିବା ପାଇଁ ବିଶେଷ ଯୋର୍‌ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.