Odisha Link
Bridging the Missing Links in Odisha

ପଞ୍ଜାବର ଧାର୍ମିକସ୍ଥଳ ଉପରେ ଆକ୍ରମଣ ଷଡଯନ୍ତ୍ର ପଣ୍ଡ

ପଞ୍ଜାବ: ପଞ୍ଜାବର ଧାର୍ମିକସ୍ଥଳ ଉପରେ ଆକ୍ରମଣ ଷଡଯନ୍ତ୍ର ପଣ୍ଡ। ପାକିସ୍ତାନର କୁଖ୍ୟାତ ଗୁପ୍ତଚର ଏଜେନ୍ସି ଆଇଏସଆଇ ପଞ୍ଜାବରେ ଆତଙ୍କ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ରଚିଥିଲା। ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ମାଧ୍ୟମରେ ପଞ୍ଜାବରେ ଧାର୍ମିକ ସ୍ଥାନ ଏବଂ ଧାର୍ମିକ ନେତାମାନଙ୍କୁ ଆକ୍ରମଣ ପାଇଁ ଆଇଏସଆଇ ଷଡ଼ଯନ୍ତ୍ର କରିଥିଲା।

ଅମୃତସରରୁ ଧରାପଡିଥିବା ଦୁଇ ଆତଙ୍କବାଦୀ ସାମି ଏବଂ ଅମୃତପାଲ ସିଂକୁ ପଚରାଉଚରା ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଆଇଏସଆଇ ସହଯୋଗରେ ବି.କେ.ଆଇ ଆତଙ୍କବାଦୀମାନେ ବିପୁଳ ମାତ୍ରାରେ ହ୍ୟାଣ୍ଡଗ୍ରେନେଡ ଭାରତକୁ ଆଣିଛନ୍ତି। ପଞ୍ଜାବରେ ଆତଙ୍କବାଦୀଙ୍କ ଏକ ଦଳ ପ୍ରସ୍ତୁତ କରିବାକୁ ବ୍ରିଟେନରେ ରହୁଥିବା ଗୁରୁପ୍ରୀତ ସିଂ ନାମକ ବ୍ୟକ୍ତି ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳ ମାଧ୍ୟମରେ ପଞ୍ଜାବର ଧାର୍ମିକ ସ୍ଥାନ ତଥା ଧାର୍ମିକ ନେତାମାନଙ୍କୁ ଆଗାମୀ ଦିନରେ ଟାର୍ଗେଟ କରାଯାଇଥାନ୍ତା, କିନ୍ତୁ ସୁରକ୍ଷା ଏଜେନ୍ସିମାନେ ଏହି ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି।

ପଚରାଉଚରା ବେଳେ ଅମୃତସର, ହୋଶିଆରପୁର, ଜଲନ୍ଦର ଏବଂ ଲୁଧିଆନାରେ ଆତଙ୍କବାଦୀଙ୍କ ସହଯୋଗୀମାନେ ଲୁଚି ରହିଛନ୍ତି ବୋଲି ଜଣାପଡ଼ିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଜଲନ୍ଧରର ମେହେରୁ ଅଞ୍ଚଳରେ ରହୁଥିବା ଅମୃତପାଲ ସିଂ ୨୦୧୭ ମସିହାରୁ ଗୁରୁପ୍ରୀତ ସିଂଙ୍କ ସହ ଯୋଗାଯୋଗରେ ଥିଲେ। ଗତ କିଛି ବର୍ଷ ଧରି ପଞ୍ଜାବରେ ବାବର ଖାଲସାର କାର୍ଯ୍ୟକଳାପ ପ୍ରାୟ ବନ୍ଦ ହୋଇଯାଇଥିଲା। ଏବେ ବି.କେ.ଆଇ ପୁଣି ଥରେ ପଞ୍ଜାବରେ ସକ୍ରିୟ ହେବାକୁ ପ୍ରସ୍ତୁତ ହେଉଛି।

Leave A Reply

Your email address will not be published.