Odisha Link
Bridging the Missing Links in Odisha

ପାରାଲିମ୍ପିକ୍ସ: ଟେବୁଲ ଟେନିସ୍‌ ଫାଇନାଲରେ ଭାବିନା ପଟେଲ, ସ୍ବର୍ଣ୍ଣ ପଦକଠୁ ଏକ ପାଦ ଦୂରରେ

ଟୋକିଓ: ଟୋକିଓରେ କମାଲ କଲେ ଭାରତୀୟ ପାରାଲିମ୍ପିକ୍ସ ଖେଳାଳି। ଭାରତର ପ୍ରଥମ ଟେବୁଲ ଟେନିସ୍‌ ଖେଳାଳି ଭାବେ ଫାଇନାଲରେ ଭାବିନା ପଟେଲ। ସେମି ଫାଇନାଲ ମୁକାବିଲାରେ ଚାଇନାର ଝାଙ୍ଗ ମିୟାଓଙ୍କୁ ୭-୧୧, ୧୧-୭,୧୧-୪,୯-୧୧, ୧୧-୮ରେ ମାତ୍‌ ଦେଇ ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ଭାବିନା। ସ୍ବର୍ଣ୍ଣ ପଦକ ପାଇଁ ଟେବୁଲ ଟେନିସ୍‌ ଫାଇନାଲରେ ରବିବାର ମଇଦାନକୁ ଓହ୍ଲାଇବେ ଭାବିନା। ରୌପ୍ୟ ପଦକ ପକ୍କା କରି ସାରିଥିବା ଭାବିନାଙ୍କ ନଜର ଏବେ ସ୍ବର୍ଣ୍ଣ ପଦକ ଉପରେ।

ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ। ସେହିପରି ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଭାରତ ପକ୍ଷରୁ ଭାବିନା ପଟେଲ ପ୍ରଥମ ପଦକ ପାଇବାକୁ ଯାଉଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଦଳ ଦମଦାର ଆରମ୍ଭ ମଧ୍ୟ କରିଛି। ଟେବୁଲ ଟେନିସ୍‌ ଫାଇନାଲରେ ପହଁଞ୍ଚିବା ପରେ ୩୪ ବର୍ଷିୟ ଭାବିନା କହିଛନ୍ତି ଯେ, ସେମିରେ ଚାଇନା ଖେଳାଳିଙ୍କୁ ପରାସ୍ତ କରିଛି। ମ୍ୟାଚ ଟପ୍‌ ଥିଲା। ଚାଇନା ଖେଳାଳି ବି ଭଲ ପ୍ରଦର୍ଶନ କରିିଥିଲେ। ମୋତେ ମୋ ପରିଶ୍ରମର ମୂଲ୍ୟ ମିଳିଛି। ଯଦି ଆପଣ ଭାବିବେ ତାହାଲେ କିଛି ବି ଅସମ୍ଭବ ନୁହେଁ।

ଅଗଷ୍ଟ ୨୯ ଅର୍ଥାତ୍‌ ରବିବାର ଦିନ ଗୁଜୁରାଟର ମେହସାଣାର ଭାବିନା ପଟେଲ ଟେବୁଲ ଟେନିସ୍‌ ଫାଇନାଲରେ ଖେଳିବେ। ଚାଇନାର ଝାଉ ୟିଙ୍ଗଙ୍କ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବେ ଭାବିନା। ଭାରତୀୟ ସମୟ ସକାଳ ୭ଟା ୧୫ରେ ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ।

ସୂଚନାଯୋଗ୍ୟ, ଶୁକ୍ରବାର କ୍ବାଟରଫାଇନାଲରେ ଭବିନା ପଟେଲ ରିଓ ସ୍ୱର୍ଣ୍ଣ ବିଜୟିନୀ ବ୍ଲୋରାସିଭା ରାଙ୍କୋଭିକଙ୍କୁ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ୨ ନମ୍ବରରେ ରହିଥିବା ରାଙ୍କୋଭିକଙ୍କୁ ୩-୦ରେ ପରାସ୍ତ କରିଥିଲେ ଭାବିନା। ୧୧-୫, ୧୧-୬ ଓ ୧୧-୭ର ସିଧାସଳଖ ସେଟରେ ପରାସ୍ତ କରିବା ସହିତ ଭାବିନା ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଥିଲେ। ମ୍ୟାଚରେ ବିଜୟୀ ହେବା ପାଇଁ ଭବିନା ମାତ୍ର ୧୮ ମିନିଟ ସମୟ ନେଇଥିଲେ। ଭବିନାଙ୍କ ଏହି କୃତିତ୍ୱକୁ ନେଇ ପାରାଲିମ୍ପିକ୍ ଇଣ୍ଡିଆ ପକ୍ଷରୁ ଭବିନାଙ୍କୁ ଶୁଭେଚ୍ଛା ଜଣାଯାଇଛି।

Leave A Reply

Your email address will not be published.