Odisha Link
Bridging the Missing Links in Odisha

ପ୍ରବଳ ବର୍ଷା ଆଶଙ୍କା: ରେଡ୍‌ ଆଲର୍ଟ ଅଞ୍ଚଳରେ ଚଳପ୍ରଚଳ ନ କରିବାକୁ ପରାମର୍ଶ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ଧରି ରାଜ୍ୟରେ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ରେଡ୍‌ ଆଲର୍ଟ ଜାରି ଅଞ୍ଚଳରେ ଚଳପ୍ରଚଳ ନ କରିବାକୁ ସତର୍କ କରାଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ସକାଳ ୭.୩୦ରେରେ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ, ପୁରୀ, କଟକ ସହର ସମେତ କଟକ ଜିଲ୍ଲା, ଜଗତ୍‌ସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ପ୍ରାନ୍ତରେ ମଧ୍ୟମ ଧରଣର ବର୍ଷା  ଘଡ଼ଘଡ଼ି ସହ ସହ ଖୁବ୍‌ ଜୋର୍‌ରେ ଅସରାଏ ଦୁଇ ଅସରା ବର୍ଷା ହେବା ସମ୍ଭାବନା ରହିଛି।

ଆକସ୍ମିକ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା, ଦୃଶ୍ୟତା ହ୍ରାସ ଯୋଗୁଁ ନଗରାଞ୍ଚଳରେ ଯାନବାହନ ଚଳାଚଳରେ ଅସୁବିଧା ଉପୁଜିବାର ସମ୍ଭାବନା ଥିବାରୁ ବର୍ଷା ପ୍ରକୋପ ଥିବା ଅଞ୍ଚଳରେ ଚଳପ୍ରଚଳ ନ କରିବା ଲାଗି ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି।

ସେହିପରି, ଆଗାମୀ ୨/୩ ଘଣ୍ଟା ଧରି ଭୁବନେଶ୍ବର ସହର ସମେତ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଅନଗୁଳ ଏବଂ ଯାଜପୁର ମଧ୍ୟମ ଧରଣର ବର୍ଷା ସହ ମଧ୍ୟେ ମଧ୍ୟେ ଅସରାଏ ଦୁଇ ଅସରା ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଅରେଞ୍ଜ୍‌ ଆଲର୍ଟ ଜାରି କରିଛି। ପ୍ରତିକୂଳ ପାଗ ପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯିବା ସହ ଆବଶ୍ୟକସ୍ଥଳେ ନିରାପଦ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

Leave A Reply

Your email address will not be published.