Odisha Link
Bridging the Missing Links in Odisha

ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ବଡ଼ ଖୁଲାସା

ଚାନ୍ଦିପୁର: ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ଗୁପ୍ତ ତଥ୍ୟ ଲିକ ଘଟଣା। ଗିରଫ ଅଭିଯୁକ୍ତଙ୍କୁ ଜେରା କରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଭାରତୀୟ ପ୍ରତିରକ୍ଷା ବିଭାଗର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌ ଏବ˚ ଅନ୍ୟ କ୍ଷେପଣାସ୍ତ୍ର ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା ଚର୍ଚ୍ଚା ସାରାଦେଶରେ ଚହଳ ସୃଷ୍ଟି କରିଥିବାରୁ ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଗତକାଲି କ୍ରାଇମବ୍ରାଞ୍ଚରେ ପହଞ୍ଚିଛନ୍ତି ଭାରତୀୟ ବାୟୁସେନାର ତିନିଜଣିଆ ଟିମ୍‌।

କ୍ଷେପଣାସ୍ତ୍ର ସମ୍ପର୍କିତ ଯାନ୍ତ୍ରୀକ ଜ୍ଞାନକୌଶଳ ସ˚କ୍ରାନ୍ତ ତଥ୍ୟ ଚାନ୍ଦିପୁର ଆଇଟିଆର ୩ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଗିରଫ ୫ ଅଭିଯୁକ୍ତ ପାକିସ୍ତାନକୁ ବିକ୍ରି କରିଥିବା ଯେଉଁ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହାର ତଦନ୍ତ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଆରମ୍ଭ କରିଛନ୍ତି। ପାକିସ୍ତାନୀ ଏଜେଣ୍ଟ୍‌ ଲିଙ୍କରେ ଗିରଫ ୫ ଅଭିଯୁକ୍ତଙ୍କୁ ବାୟୁସେନାର ବରିଷ୍ଠ ଅଧିକାରୀମାନେ ମାରାଥନ୍‌ ଜେରା କରିଛନ୍ତି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ବି ସେମାନଙ୍କୁ ଜେରା କରିଛି।

ଚାନ୍ଦିପୁର ଆଇଟିଆର୍‌ର ୪ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ରବିବାରଠାରୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଥିବାବେଳେ ସୋମବାର ରିମାଣ୍ତ୍‌ର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ମୁଖ୍ୟତଃ ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ସମ୍ପର୍କ, ଟଙ୍କା କାରବାର ଓ ଅନ୍ୟ ସହଯୋଗୀଙ୍କ ବିଷୟରେ ତଥ୍ୟ ହାସଲ କରିଛି। ପାକିସ୍ତାନ ଆଇଏସ୍‌ଆଇ ଲିଙ୍କ୍‌ରେ ଆଇଟିଆର‌ର ଏହି କର୍ମଚାରୀମାନେ ଫେସବୁକ୍‌ ମାଧ୍ୟମରେ ସମ୍ପର୍କ ଯୋଡ଼ିଥିଲେ। ପୂରା କାରବାର ଉତ୍ତରପ୍ରଦେଶର ହ୍ୟାଣ୍ତଲର‌ ନିୟନ୍ତ୍ରଣ କରୁଥିଲା।

ପାକିସ୍ତାନରୁ ଫୋନ୍‌ କଲ୍‌ ଓ ଟଙ୍କା ଉତ୍ତରପ୍ରଦେଶ ଆସୁଥିଲା। ଚାନ୍ଦିପୁର ଆଇଟିଆର୍‌ରୁ କେଉଁ ତଥ୍ୟ ଚୋରି କରିବାର ଅଛି, ସେ ସମ୍ପର୍କରେ ଉତ୍ତରପ୍ରଦେଶରୁ ଫୋନ୍‌ କରି ହ୍ୟାଣ୍ତଲର‌ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା। ଆଇଟିଆର୍‌ କର୍ମଚାରୀଙ୍କ ନିକଟକୁ ଟଙ୍କା ବି ସିଧାସଳଖ ପାକିସ୍ତାନରୁ ଆସିନାହିଁ। ଉତ୍ତରପ୍ରଦେଶର ହ୍ୟାଣ୍ତଲର‌ ମାଧ୍ୟମରେ ଆସିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ରିମାଣ୍ତ୍‌ର ତୃତୀୟ ଦିନରେ ଏମାନଙ୍କ ନିକଟକୁ ଟଙ୍କା କାରବାରର ଶୈଳୀ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି। ପାକିସ୍ତାନୀ ହ୍ୟାଣ୍ଡଲର୍‌ଙ୍କ ଜରିଆରେ ଏମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ କିଛି ଟଙ୍କା ଆସିଥିବା ବେଳେ ଆଉ କିଛି ଟଙ୍କା ‘ସ୍ଲିପର‌୍‌ ସେଲ୍‌’ର ସଦସ୍ୟଙ୍କ ମାଧ୍ୟମରେ ଆସିଥିବା କ୍ରାଇମବ୍ରାଞ୍ଚ ଜେରା ସମୟରେ ଜାଣିବାକୁ ପାଇଛି।

Leave A Reply

Your email address will not be published.