Odisha Link
Bridging the Missing Links in Odisha

ରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ

ସମ୍ବଲପୁର: ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ। ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁରରୁ। ସୋମବାର ଅପରାହ୍ଣରେ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ମହିଳା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଧରି ଏକ ୧୦୮ ଆମ୍ବୁଲାନ୍ସ ବୁର୍ଲା ବଡ଼ ମେଡିକାଲକୁ ଯାଉଥିଲା। ତେବେ ଆମ୍ବୁଲାନ୍ସଟି ସମ୍ବଲପୁର ଅତିକ୍ରମ କରିବା ପରେ ଜାତୀୟ ରାଜପଥ ଉପରେ ହିଁ ଖରାପ ହୋଇଯାଇଥିଲା। ହଠାତ୍ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ତାହା ଆଉ ଆଗକୁ ଯାଇପାରି ନଥିଲା।

ଆମ୍ବୁଲାନ୍ସଟି ଛିଡ଼ା ହୋଇଥିବାବେଳେ ରୋଗୀଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଥିଲା। ରୋଗୀଙ୍କ ସହ ତାଙ୍କ ସ୍ୱାମୀ ଓ ଝିଅ ବି ଥିଲେ। ଆଉ ଏକ ଆମ୍ବୁଲାନ୍ସ ପଠାଇବା ପାଇଁ ବୁର୍ଲାକୁ ଖବର ଦିଆଯାଇଥିଲା। ତେବେ ପ୍ରାୟ ଅଧାଘଣ୍ଟା ପରେ ସେଠାରେ ପହଞ୍ଚିଥିଲା ଆଉ ଏକ ଆମ୍ବୁଲାନ୍ସ। କିନ୍ତୁ ତା’ଭିତରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା।

ମୃତ ମହିଳାଙ୍କ ସ୍ୱାମୀ ହିମାଂଶୁ ନନ୍ଦ କହିଛନ୍ତି ଯେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ସେ (ତାଙ୍କ ପତ୍ନୀ) ନିଶ୍ଚୟ ବଞ୍ଚି ଯାଇଥା’ନ୍ତେ। ଠିକ୍‌ ଭାବେ ଆମ୍ବୁଲାନ୍ସ ଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନଥିବା ଯୋଗୁ ଏଭଳି ସମସ୍ୟା ଦେଖାଯାଉଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଘଟଣା ନେଇ ୧୦୮ ଆମ୍ବୁଲାନ୍ସ କର୍ତ୍ତୃପକ୍ଷ କିମ୍ବା କୌଣସି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।