Odisha Link
Bridging the Missing Links in Odisha

ନାଗାଲାଣ୍ଡ: ୧୧ ନାଗରୀକଙ୍କୁ ହତ୍ୟାକଲେ ସୁରକ୍ଷାକର୍ମୀ, ସ୍ଥଳସେନାର ତଦନ୍ତ ନିର୍ଦ୍ଦେଶ

ଭୁଲରେ ସେମାନଙ୍କୁ ଆତଙ୍କବାଦୀ ସଂଗଠନର କର୍ମୀ ମନେକରି ସେନା ପକ୍ଷରୁ ଆକ୍ରମଣ ହୋଇଥିବା କହାଯାଉଛି।

କୋହିମା: ନାଗାଲାଣ୍ଡ-ମ୍ୟାଁମାର ସୀମାବର୍ତ୍ତୀ ମନ୍‌ ଜିଲ୍ଲାରେ ଜାତୀୟ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୧୧ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତଙ୍କୁ ଆସାମରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହତ୍ୟା ନେଇ ନାଗାଲାଣ୍ଡ ପୁଲିସ ଆଜି ସ୍ପଷ୍ଟ କରିଛି।

ଓଟିଂ ଓ ତିରୁ ଗାଁ ମଝିରେ ଗତକାଲି ସଂଧ୍ୟାରେ କିଛି ଶ୍ରମିକ କୋଇଲା ଖଣିରୁ ଫେରୁଥିବା ବେଳେ ଏ ଅଭାବନୀୟ ଘଟଣା ଘଟିଥିବା ପୁଲିସ କହିଛି। ସ୍ଥାନୀୟ ଅଞ୍ଚଳରେ ନିଷିଦ୍ଧ ସଂଗଠନର ଗତିବିଧି ନେଇ ଖବର ମିଳିବା ପରେ ସେନା ପକ୍ଷରୁ କଡ଼କଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ କାଲି ସଂଧ୍ୟାରେ ଶ୍ରମିକଙ୍କ ଗାଡ଼ି ଉପରକୁ ଯବାନମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଭୁଲରେ ସେମାନଙ୍କୁ ଆତଙ୍କବାଦୀ ସଂଗଠନର କର୍ମୀ ମନେକରି ସେନା ପକ୍ଷରୁ ଆକ୍ରମଣ ହୋଇଥିବା କହାଯାଉଛି।

ତେବେ ଏ ଘଟଣା ନେଇ ଭାରତୀୟ ସେନା ପକ୍ଷରୁ ଦୁଃଖପ୍ରକାଶ କରାଯିବା ସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏ ଘଟଣା ପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେନା ପକ୍ଷରୁ ଏକ ବିବୃତିରେ କହାଯାଇଛି।

ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓ ମଧ୍ୟ ଏଭଳି ବର୍ବରତାର ନିନ୍ଦା କରିଛନ୍ତି। ଉଚ୍ଚସ୍ତରୀୟ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ପକ୍ଷରୁ ଏ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏ ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି।

Leave A Reply

Your email address will not be published.