Odisha Link
Bridging the Missing Links in Odisha

ଶିଶୁଙ୍କ କଥା ଶୁଣିଲେ ବିଧାୟକ

ଏହି ଅବସରରେ ଶିଶୁମାନଙ୍କ ତରଫରୁ ମାନ୍ୟବର ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ଅନୁରୋଧ ପତ୍ରକୁ ନେଇ ବିଧାୟକମାନେ ବେଶ୍ ଆଗ୍ରହ ଦେଖାଇଥିଲେ। ନିଜର ପାଣ୍ଠି ଏବଂ ବିଧାୟକ ପାଣ୍ଠିକୁ ଊପଯୋଗ କରି ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ଭୁବନେଶ୍ୱର: ଓଡ଼ିଶାର ବିଧାୟକମାନେ ଆଜି ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକାଠି ହୋଇ ଶିଶୁମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାକ୍ରମରେ ଶିଶୁମାନଙ୍କ ଜୀବନଧାରଣର ମାନରେ କିପରି ଗୁଣାତ୍ମକ ପରିବର୍ତନ ଆସିପାରିବ ସେ ନେଇ ମତପ୍ରକାଶ କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ତରଫରୁ ମାନ୍ୟବର ବିଧାୟକମାନଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା।
ଭୁବନେଶ୍ୱରଠାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳରୁ ପ୍ରାୟ ୨୫ ଜଣ ବିଧାୟକ ଏକାଠି ହୋଇ ଆଲୋଚନାରେ ଭାଗ ନେଇଥିଲେ। ଏଥିରେ କୋଭିଡ୍ ପରବର୍ତ୍ତୀ ସମୟରେ ଶିଶୁମାନେ ସାମନା କରୁଥିବା ପ୍ରତିକୂଳ ଆହ୍ୱାନକୁ ମୁକାବିଲା କରି କିପରି ଶିଶୁମାନଙ୍କୁ ଅଧିକ ସହାୟତା ପ୍ରଦାନ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା।

ୟୁନିସେଫ୍ ଏବଂ ଗ୍ଲୋବାଲ ପଲିସ୍ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ଆଲୋଚନା ଚକ୍ର ଦ୍ୱାରା ଓଡିଶାର ମାନ୍ୟବର ବିଧାୟକଙ୍କ ସହ ଏକ ସହଭାଗୀତାର ଆରମ୍ଭ ହେଲା ବୋଲି କୁହାଯାଇ ପାରିବ ଯାହାଦ୍ୱାରା ତୃଣମୂଳ ସ୍ତରରେ ଶିଶୁମାନଙ୍କର ବିକାଶକୁ ତ୍ୱରାନ୍ୱିତ କରାଯାଇ ପାରିବ। ଏହି ସହାଭାଗୀତା ଦ୍ୱାରା ମାନ୍ୟବର ବିଧାୟକ ମାନଙ୍କୁ ଶିଶୁମାନଙ୍କୁ ପ୍ରଭାବିତ କରୁଥିବା ବିଷୟ ଉପରେ ବିଭିନ୍ନ ବୈଷୟିକ ଏବଂ ବିଷୟବସ୍ତୁ ଜନିତ ସହାୟତା ଯଥା ଗବେଷଣା ଓ ତଥ୍ୟରୁ ମିଳୁଥିବା ସୂଚନା ଏବଂ ବିଧାନସଭା କମିଟିର ମତ ଆଦି ପ୍ରଦାନ କରାଯିବ। ଏହି ପ୍ରୟାସ ଦ୍ୱାରା ନିର୍ବାଚିତ ପ୍ରତିନିଧି ଏବଂ ଯୁବ ସମାଜ, କିଶୋର ଏବଂ ଶିଶୁମାନଙ୍କ ମଧ୍ୟରେ ଆଲୋଚନା ଏବଂ ଭାବର ଆଦାନ ପ୍ରଦାନ ହୋଇପାରିବ ଯାହା ଫଳରେ ଶାସନର ସର୍ବୋଚ୍ଚ ସ୍ତରରେ ଏମାନଙ୍କର ସ୍ୱର ପହଁଚି ପାରିବ।

ଏହି ଅବସରରେ ୟୁନିସେଫ୍ ଓଡିଶା ଶାଖା ମୁଖ୍ୟ ମୋନିକା ନିଲସନ କହିଲେ, ‘ମାନବ୍ୟର ବିଧାୟକମାନଙ୍କର ଶିଶୁମାନଙ୍କ ନିମନ୍ତେ କହିବା ପାଇଁ ଯଥେଷ୍ଟ କ୍ଷମତା ଏବଂ ପ୍ରୋତ୍ସାହିତ କଲାପରି ଦକ୍ଷତା ରହିଛି। ସେମାନେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛନ୍ତି ଯେଉଁଠାରେ ଠିଆ ହୋଇ ଶିଶୁମାନଙ୍କର ବିକାଶ ଦିଗରେ ଯେ କେବଳ ଶିଶୁ ଅଧିକାର ଦିଗରେ କାମ କରୁଥିବା ବ୍ୟକ୍ତିମାନଙ୍କର ଦାୟିତ୍ୱ ରହିଛି ତାହା ନୁହେଁ ବରଂ ଏହା ସମଗ୍ର ସମାଜର ଦାୟିତ୍ୱ ବୋଲି ସହଜରେ କହିପାରିବେ। ଆମେ ମାନ୍ୟବର ବିଧାୟକମାନଙ୍କ ସହ ଏ ନେଇ କଥା ହେବାର ସୁଯୋଗ ପାଇଥିବାରୁ ଗର୍ବିତ ଏବଂ ଆମେ ଏହା ନିଶ୍ଚିତ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ଯେ ବିଭିନ୍ନ ପ୍ରସଙ୍ଗରେ ଶିଶୁମାନଙ୍କର କଥା ଶୁଣାଯିବା ଦରକାର ଏବଂ ଏ ନେଇ ମାନ୍ୟବର ବିଧାୟକମାନେ ପଦକ୍ଷେପ ନେବେ ବୋଲି ମୁଁ ଆଶାବାଦୀ।’

ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଏହି ଅବସରରେ କହିଲେ, ‘ଶିଶୁମାନଙ୍କର ଅଧିକାରର ପାଳନ ହେବା ଆମ ରାଜ୍ୟର ବିକାଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆମେ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆମ ପଦକ୍ଷେପ ଦ୍ୱାରା ଉଭୟ ସହର ଏବଂ ଗ୍ରାମାଂଚଳରେ ରହୁଥିବା ଶିଶୁମାନେ ଉପକୃତ ହୋଇପାରିବେ। ସରକାରଙ୍କ ଦ୍ୱାରା ଅନେକ ଏପରି ଯୋଜନା ପ୍ରଣୟନ କରାଯାଇଛି ଯାହା ଦ୍ୱାରା ଅନେକ ସଂଖ୍ୟାରେ ଶିଶୁ ଉପକୃତ ହେଉଛନ୍ତି। ତେବେ ଶିଶୁମାନଙ୍କ ଦ୍ୱାରା ଏପରି ନିୟମିତ ଭାବ ବିନିମୟ ହେଲେ ଆମେ ଜାଣିପାରିବା ଯେ ଆମେ କଣ ଠିକ୍ କରୁଛନ୍ତି ଏବଂ ଶିଶୁମାନଙ୍କର ବିକାଶ ପାଇଁ କ’ଣ କରାଯାଇ ପାରିବ। ଆମେ ଏହିପରି ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିବା ଦରକାର ଏବଂ ଶିଶୁମାନଙ୍କର ମତାମତକୁ ଗ୍ରହଣକୁ ନେବା ଦରକାର।’

ପୂର୍ବତନ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଏହି ଅବସରରେ ଶିଶୁ ଅଧିକାରକୁ ନେଇ ଥିବା ସମସ୍ୟା ଖାସ କରି ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା, ବାଲ୍ୟ ବିବାହର ନିରାକରଣ ଏବଂ ପ୍ରତ୍ୟେକ ଶିଶୁର ଶିକ୍ଷା ଅଧିକାର ଦିଗରେ ଥିବା ସମସ୍ୟା ସବୁକୁ ଦୂର କରିବା ଦିଗରେ ପ୍ରତିବନ୍ଧକ ସବୁକୁ ହଟାଇବା ଆଦି କାମ ପାଇଁ ମାନ୍ୟବର ବିଧାୟକଙ୍କ ଦ୍ୱାରା ଯାହା ସଂଭବ ତାହା କରିବାକୁ ସହାୟତା ଦେବେ ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ ଶିଶୁମାନଙ୍କର ବିକାଶ ପାଇଁ ଶିକ୍ଷା ହେଉଛି ଏକ ମୌଳିକ ଉପକରଣ ଏବଂ ଶିଶୁଜଣଙ୍କ ଯେପରି ସରକାରଙ୍କ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଯୋଜନାରୁ ଭରପୁର ଲାଭ ଉଠାଇପାରିବ ସେ ନେଇ ଆମେ ସମସ୍ତେ ଚେଷ୍ଟା କରିବା ଦରକାର। ବିଧାନ ସଭାରେ ବିରୋଧିଦଳ ନେତା ମାନ୍ୟବର ବିଧାୟକ ମୋହନ ମାଝୀଙ୍କୁ ଉପସ୍ଥିତଜଣେ ଶିଶୁ ପ୍ରଶ୍ନ ପଚାରିଥିଲା। ଶିଶୁର ପ୍ରଶ୍ନ ଥିଲେ ଯେ ସତରେ କଣ ଶିଶୁମାନଙ୍କ ପ୍ରସଙ୍ଗ ରାଜନେତାଙ୍କ ପାଇଁ ଗୁରୁତ୍ୱ ରଖେ କାରଣ ଶିଶୁମାନେ ଭୋଟର ନୁହନ୍ତି ଏବଂ ଶିଶୁମାନେ ଭୋଟ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନର ଜବାବ ଦେବାକୁ ଯାଇ ଶ୍ରୀଯୁକ୍ତ ମାଝି କହିଥିଲେ ଯେ ଶିଶୁମାନେ ଭୋଟର ନୁହନ୍ତି ଏବଂ ଏହି ପ୍ରସଙ୍ଗ ରାଜନେତାମାନଙ୍କ ଉପରେ ପ୍ରଭାବ ପକାଏ ନାହିଁ। ଶିଶୁମାନଙ୍କର ଆବଶ୍ୟକତାକୁ ନଜରରେ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ ଶିଶୁମାନେ ସେମାନଙ୍କ ସମସ୍ୟାକୁ କିପରି ରାଜନେତାମାନଙ୍କ ସାମନାକୁ ଆଣିପାରିବେ ସେ ନେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରାଯାଇ ପାରିବ।

ଏହି ଅବସରରେ ଶିଶୁମାନଙ୍କ ତରଫରୁ ମାନ୍ୟବର ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ଅନୁରୋଧ ପତ୍ରକୁ ନେଇ ବିଧାୟକମାନେ ବେଶ୍ ଆଗ୍ରହ ଦେଖାଇଥିଲେ। ନିଜର ପାଣ୍ଠି ଏବଂ ବିଧାୟକ ପାଣ୍ଠିକୁ ଊପଯୋଗ କରି ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଖାସ୍ କରି ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସ୍କୁଲମାନଙ୍କର ଭିତିଭୂମି ସଜାଡିବା ଏବଂ ସେଥିରେ ପାନୀୟଜଳ ଏବଂ ପୁଅ ଓ ଝିଅମାନଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟର ବ୍ୟବସ୍ଥାକରିବା ଉପରେ ଯୋର ଦେବେ ବୋଲି କହିଥିଲେ।

ଏହି ଭାବର ଆଦାନ ପ୍ରଦାନ ବୈଠକରେ ଉପସ୍ଥିତ ଥିବା ଶିଶୁମାନେ ମାନ୍ୟବର ବିଧାୟକମାନଙ୍କୁ ସେମାନଙ୍କର ଶିକ୍ଷା, ସ୍କୁଲ, ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା, ଲିଙ୍ଗଗତ ସମାନତା, ବାଲ୍ୟବିବାହ ବନ୍ଦକରିବା ଏବଂ ଶିଶୁ ଶ୍ରମିକ ପ୍ରଥା କୁ ରୋକିବା ଉପରେ ପ୍ରଶ୍ନ କରିଥିଲେ। ଶିଶୁ ପ୍ରତିନିଧିମାନେ ନିଜ ଅଂଚଳରେ ଲାଗି ରହୁଥିବା ବନ୍ୟା ଯୋଗୁଁ ସେମାନେ କିପରି ଶିକ୍ଷାଦାନରୁ ବଂଚିତ ହେଉଛନ୍ତି ସେ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।

Leave A Reply

Your email address will not be published.