Odisha Link
Bridging the Missing Links in Odisha

କୃଷକଙ୍କ ଆୟବୃଦ୍ଧି ଦିଗରେ ଗୁରୁତ୍ୱ ଦେଉଛି ଓଡ଼ିଶା ସରକାର: ସଚିବ

ସରକାର ବର୍ତମାନ ଫସଲର ବିବିଧିକରଣ ଏବଂ ଚାଷର ପୂର୍ଣ୍ଣାଙ୍ଗୀକରଣ ଉପରେ ଧ୍ୟାନ ଦେବା ସହ କୃଷକମାନେ କିଭଳି ମତ୍ସ୍ୟଚାଷ ଓ ପରିବା ଚାଷ ଦିଗରେ ଅଧିକ ଆକର୍ଷିତ ହୋଇପାରିବେ ସେ ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି।

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଅଗ୍ରଗତି ଏବଂ କୃଷକଙ୍କ ରୋଜଗାରକୁ ବର୍ଦ୍ଧିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ତ୍ରିସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବୁଧବାର ସୂଚନା ଦେଇଛନ୍ତି।

ବର୍ତମାନ ରାଜ୍ୟର ୯୦ ପ୍ରତିଶତ ଚାଷୀ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ହୋଇଥିବାରୁ ସେମାନଙ୍କୁ ସଶକ୍ତ କରିବା ଏବଂ ପାଣିପାଗ ଅନୁକୂଳ ଫସଲ ଚାଷ କରିବାକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବଶିଷ୍ଠ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନସେସ୍ (ଆଇଏଏସ୍‌) ରେ ଆୟୋଜିତ ରବି ଫସଲର ସଠିକ ପରିଚାଳନା ପାଇଁ କୃଷକ ଉତ୍ପାଦକ ସଂଗଠନର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ବଶିଷ୍ଠ।

ଶ୍ରୀ ବଶିଷ୍ଠ କହିଛନ୍ତି ସରକାର ବର୍ତମାନ ଫସଲର ବିବିଧିକରଣ ଏବଂ ଚାଷର ପୂର୍ଣ୍ଣାଙ୍ଗୀକରଣ ଉପରେ ଧ୍ୟାନ ଦେବା ସହ କୃଷକମାନେ କିଭଳି ମତ୍ସ୍ୟଚାଷ ଓ ପରିବା ଚାଷ ଦିଗରେ ଅଧିକ ଆକର୍ଷିତ ହୋଇପାରିବେ ସେ ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି। କାର୍ଯ୍ୟକ୍ରମଟିକୁ ସୋଆ, ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଧନୁକା ଏଗ୍ରିଟେକ୍ ଲିମିଟେଡ୍ ଓ ନାଫେଡ ମିଳିତ ଭାବେ ଆୟୋଜନ କରିଥିଲେ। ଓଡ଼ିଶାର ସମସ୍ତ ଚାଷ ଜମିର ୭୦ ଭାଗରେ ଧାନ ଚାଷ କରାଯାଉଥିବା ବେଳେ ବାକୀ ୩୦ ପ୍ରତିଶତ ଜମିରେ ତୈଳବୀଜ ଏବଂ ଡାଲି ଜାତୀୟ ଶସ୍ୟ ଚାଷ କରାଯାଉଛି।

ଓଡ଼ିଶାରେ ପ୍ରଚୁର ଧାନ ଉତ୍ପାଦନ ହେଉଥିବା ବେଳେ ଡାଲି ଏବଂ ତୈଳ ବୀଜର ଘୋର ଅଭାବ ରହିଛି। ତେଣୁ କୋରାପୁଟ, ରାୟଗଡା, ମାଲକାନଗିର ଓ ନବରଙ୍ଗପୁର ଭଳି ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇ କୃଷକମାନଙ୍କୁ ଡାଲି ଏବଂ ତୈଳବୀଜ ଚାଷ ନିମନ୍ତେ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସେହିପରି କୃଷକମାନେ କିଭଳି ମିଳିତ ଭାବେ ଡାଲି, ତୈଳବୀଜ, ଫଳ, ପନିପରିବା, ମତ୍ସ୍ୟ ଓ ପଶୁପାଳନ ଚାଷ ଦିଗରେ ଅଧିକ ମନୋନିବେଶ କରିବେ ସେଥି ନିମନ୍ତେ ଦୃଷ୍ଟି ଦିଆଯାଉଛି।

ସେ କହିଛନ୍ତି ଯେ ୨୦୧୮ରେ ଓଡ଼ିଶାରେ ପ୍ରଥମ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ର ପ୍ରସ୍ତାବିତ ହୋଇଥିଲା। ଓଡ଼ିଶାରେ ୨୭୯ କୃଷକ ଉତ୍ପାଦକ ସଂଗଠନ ଆରମ୍ଭ ହୋଇଥିବା ବେଳେ ସେ ମଧ୍ୟରୁ ୨୧୩ ଟି ଜାତୀୟ କୃଷି ବଜାର ପ୍ଲାଟଫର୍ମ (ଇନାମ), ଯାହାକି ଏକ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ ସେଥିରେ ପଞ୍ଜିକୃତ ଅଛନ୍ତି।

ସେ କହିଛନ୍ତି ଯେ କୃଷକ ଉତ୍ପାଦକ ସଂଗଠନ ଗୁଡିକ ଲାଭ କଲେ ଚାଷୀ ମାନେ ଉପକୃତ ହୋଇପାରିବେ। ଚଳିତ ବର୍ଷ ବର୍ଷା ଏ କ୍ଷେତ୍ରରେ ସୋଆ କୃଷିଭିତିକ ଜ୍ଞାନ କୃଷକ ମାନଙ୍କ ନିକଟରେ ପହଂଚାଇବା ସହିତ ଅନ୍ତତଃ ଗୋଟିଏ ଜିଲ୍ଲାର ଦାୟିତ୍ୱ ନେବା ଉଚିତ ଯେପରି କୃଷକ ମାନେ ଆର୍ଥିକ ଭାବେ ଲାଭବାନ ହେବେ। ନିକଟରେ ହୋଇଥିବା ବର୍ଷାରେ ଓଡ଼ିଶାରେ ପ୍ରାୟ ୫ ଲକ୍ଷ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି ବୋଲି ସେ କହିଥିଲେ। ଏହି ଅବସରରେ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସ ଏବଂ ଧନୁକା ଏଗ୍ରିଟେକ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡଃ ପବନ କୁମାର ଅଗ୍ରୱାଲ୍ ଭର୍ଚୁଆଲି ଯୋଗ ଦେଇଥିବା ବେଳେ ସୋଆ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସର ଚିଫ୍ ଏକ୍‌ଜିକ୍ୟୁଟିଭ ଅଫିସର ଶ୍ରୀ ସମ୍ବିତ ତ୍ରିପାଠୀ, ଧନୁକା ଏଗ୍ରିଟେକ୍ ଲିମିଟେଡ୍‌ର ଉପଦେଷ୍ଟା ଶ୍ରୀ ବିନୋଦ ଆନନ୍ଦ, ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇଥିଲେ।

Leave A Reply

Your email address will not be published.