Odisha Link
Bridging the Missing Links in Odisha

ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା: ପୁଲିସ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଆସିଲା ବଡ଼ ଖବର। ଲଖୀମପୁର ଖେରୀ ହିଂସାକାଣ୍ଡ ଦୁର୍ଘଟଣା ନୁହେଁ ବରଂ ଥିଲା ଷଡ଼ଯନ୍ତ୍ର। ଏଭଳି କିଛି ରିପୋର୍ଟ ତଦନ୍ତ ଦାୟିତ୍ୱରେ ଥିବା ବିଚାରପତିଙ୍କୁ ଦେଇଛନ୍ତି ତଦନ୍ତକାରୀ ସଂସ୍ଥା ଏସଆଇଟି। ଉତ୍ତର ପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏସଆଇଟି ରିପୋର୍ଟ ଏବେ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ବିଜେପିକୁ କାଠଗଡାରେ ଛିଡା କରିଛି।

ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ପକ୍ଷରୁ କୁହାଯାଇଛି ଯେ, ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏହା ଏକ ଦୁର୍ଘଟଣା କିମ୍ବା ବେପରୁଆ ଗାଡ଼ି ମାଡ଼ି ଯିବା ଭଳି ଘଟଣା ନୁହେଁ। ଯୋଜନା ମୁତାବକ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ସେମାନଙ୍କୁ ହତ୍ୟା କରାଯାଇଛି।

ଏଥିସହ ଏସଆଇଟି ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫାକୁ ବଦଳାଇବାକୁ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(ଜେଏମସି)ଙ୍କ ନିକଟରେ ଆବେଦନ କରିଛି। ଏସ୍‌ଆଇଟିର ତଦନ୍ତକାରୀ ଅଧିକାରୀ ବିଦ୍ୟାରାମ ଦିବାକର ଗତ ସପ୍ତାହରେ ଜେଏମସି କୋର୍ଟରେ ନିଜର ଆବେଦନ ପତ୍ର ଦାଖଲ କରିଥିଲେ। ଏଥିରେ ସେ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହୋଇଥିବା ଧାରା ୨୭୯, ୩୩୮ ଓ ୩୦୪ଏକୁ ବଦଳାଇ ଅନ୍ୟ କଠୋର ଦଫା ଲଗାଇବାକୁ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଶତାଧିକ ଚାଷୀ ଲକ୍ଷ୍ମୀପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ। ଏହି ସମୟରେ ହଠାତ୍‌ ଗୋଟିଏ ମହିନ୍ଦ୍ରା ଥର ଆନ୍ଦୋଳନରତ ଚାଷୀଙ୍କ ଉପରେ ପଛ ପଟୁ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ଜୀବନ ଯାଇଥିଲା। ଏହାପରେ ଦେଖାଯାଇଥିବା ହିଂସାରେ ଗାଡ଼ିରେ ଥିବା ୩ ଜଣ ପ୍ରାଣ ହରାଇଥିଲେ। ସେହିପରି ଜଣେ ସାମ୍ବାଦିକଙ୍କର ମଧ୍ୟ ଜୀବନ ଯାଇଥିଲା।

ଗାଡ଼ି ମାଡ଼ି ଯିବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ମହିନ୍ଦ୍ରା ଥରଟି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କର ଥିଲା। ଘଟଣା ବେଳେ ତାଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଗାଡ଼ିରେ ଥିଲେ। ଏନେଇ ଅଭିଯୋଗ ମିଳିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

Leave A Reply

Your email address will not be published.