Odisha Link
Bridging the Missing Links in Odisha

ଉତ୍ତର କୋରିଆ: ଆଗାମୀ ୧୦ ଦିନ ଯାଏଁ ହସିଲେ ମୃତ୍ୟୁଦଣ୍ଡା!

ଡିସେମ୍ବର ୧୭ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ହସିବା ସମେତ ମଦ ପିଇବା, ବଜାର ସଉଦା କରିବା ଓ ଅବସର ବିନୋଦନ କରିବା ଉପରେ କଟକଣା ଲାଗିଛି।

ବ୍ୟୁରୋ: ଉତ୍ତର କୋରିଆର ପୂର୍ବତନ ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ୍‌‌ଇଲ୍‌ଙ୍କର ଆଜି ହେଉଛି ୧୦ମ ମୃତ୍ୟୁବାର୍ଷିକୀ। ଆଜି ଠାରୁ ୧୦ ଦିନ ଯାଏଁ ରାଷ୍ଟ୍ର ବ୍ୟାପୀ ଶୋକପାଳନ ହେଉଥିବା ବେଳେ ଏହି ସମୟ ଭିତରେ ଦେଶବାସୀ ହସିପାରିବେନାହିଁ ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଏଭଳି ନିର୍ଦ୍ଦେଶ ପାଳନ କରୁନଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳୁଛି ବୋଲି ସୂଚନା ମିଳୁଛି।

ଆଜି ଠାରୁ ୧୦ ଦିନ ଯାଏଁ ଦେଶରେ ଆମୋଦପ୍ରମୋଦ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି। ଡିସେମ୍ବର ୧୭ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ହସିବା ସମେତ ମଦ ପିଇବା, ବଜାର ସଉଦା କରିବା ଓ ଅବସର ବିନୋଦନ କରିବା ଉପରେ କଟକଣା ଲାଗିଛି।

ରେଡିଓ ଫ୍ରି ଏସିଆ ସହ କଥା ହେବାବେଳେ ଉତ୍ତର କୋରିଆର ସୀମାନ୍ତରେ ରହୁଥିବା କିଛି ଅଧିବାସୀ ଏ ନେଇ ସୂଚନା ଦେଇଛନ୍ତି। ଏହି ଆଦେଶ ଅମାନ୍ୟ କରୁଥିବା ଅଧିବାସୀଙ୍କ ବିରୋଧରେ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ଅତୀତରେ ଏଭଳି କଟକଣା ସମୟରେ ମଦ ପିଇ ଧରାପଡ଼ିଥିବା ଲୋକଙ୍କୁ ପୁଲିସ ଧରିନେଇଛି ଓ ପରେ ସେମାନେ ଆଉ ଆଦୌ ଫେରିନାହାନ୍ତି ବୋଲି ସମୀାନ୍ତ ଅଧିବାସୀ ଜଣାଇଛନ୍ତି। ଏଣୁ ଏ ଆଦେଶ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ବା ଦୀର୍ଘ କାରାବାସ ଦଣ୍ଡ ଦିଆଯାଉଥିବା ଅନୁମାନ କରାଯାଉଛି।

ଆଉ ଏକ ରିପୋର୍ଟ ଅନୁସାରେ ଏହି ଦଶଦିନ ନୁହେଁ, ବରଂ ଶୋକପାଳନ ଲାଗି ପରିବେଶ ଅନୁକୂଳ କରିବା ପାଇଁ ମାସ ଆରମ୍ଭରୁ ଦେଶବ୍ୟାପୀ ଏଭଳି କଟକଣା ଲଗାଇଛି ପୁଲିସ। କିମ୍‌ ଜଙ୍ଗ୍‌ଇଲ୍‌ ୨୦୧୧ରେ ମୃତ୍ୟୁବରଣ କରିବା ପରେ ତାଙ୍କ ଦ୍ବିତୀୟ ପୁତ୍ର କିମ୍‌ ଜଙ୍ଗ୍‌ଉନ୍‌ ଏବେ ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ ଅଛନ୍ତି।

ଉତ୍ତର କୋରିଆରେ ଶୋକପାଳନ ବେଳେ ଅଧିବାସୀଙ୍କ ଦ୍ବାରା ସମୁହ ବୁକୁଫଟା କ୍ରନ୍ଦନ, ସମାଧି ସ୍ଥଳ ଭ୍ରମଣ ଏକ ସାଧାରଣ ଦୃଶ୍ୟ।

Leave A Reply

Your email address will not be published.