Odisha Link
Bridging the Missing Links in Odisha

ଜାତୀୟ ଏକତା ସୁଦୃଢ଼ କରିବାକୁ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କୁ ଆହ୍ୱାନ

ଭୁବନେଶ୍ୱର: ବିଜ୍ଞାନ ଏବଂ ଶିକ୍ଷା ସହିତ ବିଭିନ୍ନ କ୍ଷେତ୍ରରେ ଭାରତ ବିକାଶ କରିଚାଲିଛି । କିନ୍ତୁ ଏହି ମୂହୁର୍ତରେ ଜାତୀୟ ସଂହତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଜନସାଧାରଣ ଏକତାର ଗୁରୁତ୍ୱ ବୁଝିବା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତି, ସାମାଜିକ ସୁରକ୍ଷା, ସାର୍ବଜନିକ ଉଦ୍ୟୋଗ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁବାର କହିଛନ୍ତି ।

ଭାରତୀୟ ସଭ୍ୟତା ୫୦୦୦ ବର୍ଷ ପୁରୁଣା ଏବଂ ଆମେ ଆମର ଐତିହ୍ୟ ଜାଣିବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ପଣ୍ଡା । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ହେଉଥିବା ଜାତୀୟ ସଂହତି ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦ ଟି ରାଜ୍ୟରୁ ଏହି ଶିବିରରେ ଭାଗ ନେବାକୁ ଆସିଥିବା ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଶ୍ରୀ ପଣ୍ଡା।

ଆମେ ଯେତେବେଳେ ବିଦେଶକୁ ଯାଉ ଆମେ ଆମର ପରିଚୟ ଭାରତୀୟ ବୋଲି ଦେଇଥାଉ । ଆମେ କେଉଁ ରାଜ୍ୟରୁ ଆସିଛୁ ସେ ପରିଚୟ ଦେଇ ନଥାଉ । କାରଣ ଦେଶ ଆଗ ଏବଂ ରାଜ୍ୟ ପଛରେ ଆସିଥାଏ ବୋଲି ସେ କହିଛନ୍ତି।

ନିଜ କଲେଜ ସମୟରେ ସେ ଏନ୍‌ଏସ୍‌ଏସ୍‌ର ଗ୍ରୁପ୍ ଲିଡର ଥିବା ବିଷୟ ସ୍ମୃତିଚାରଣ କରି ଶ୍ରୀ ପଣ୍ଡା କହିଥିଲେ ଯେ ଏନ୍‌ଏସ୍‌ଏସ୍ ଲୋକଙ୍କୁ ଏକାଠି କରିବା ନିମନ୍ତେ ଏହା ଏକ ବଡ ଆନ୍ଦୋଳନ ।
ଶ୍ରୀ ପଣ୍ଡା କହିଥିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀ ବ୍ରିଟିଶ ସରକାରଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପାଇଁ ଦେଶର ସବୁ ଅଂଚଳରୁ ଲୋକଙ୍କୁ ଏକତ୍ରିତ କରିଥିଲେ । ଓଡ଼ିଶାକୁ ମହାତ୍ମା ୮ ଥର ଆସିଥିବା ବେଳେ ଓଡ଼ିଆ ଲୋକଙ୍କ ଉପରେ ଜାତିର ପିତା ଅନେକ ପ୍ରଭାବ ପକାଇ ପାରିଥିଲେ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତୀୟ ସମ୍ବିଧାନର ମୁଖବନ୍ଧ (ପ୍ରିଆମ୍ବଲ୍‌)ରେ ଅହିଂସାକୁ ଅର୍ନ୍ତଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ମନ୍ତ୍ରୀ କହିଛନ୍ତି ।

ଶିବିରରେ ଯୋଗ ଦେଇଥିବା ପ୍ରତିଯୋଗୀମାନେ ଭୁବନେଶ୍ୱର ଛାଡିବା ପୂର୍ବରୁ ଏଠାରେ ଥିବା ଗାନ୍ଧୀ ପିସ୍ ସେଂଟର ଏବଂ ଓଡ଼ିଶା ଷ୍ଟେଟ୍ ଟ୍ରାଇବାଲ୍ ମ୍ୟୁଜିୟମ୍ ବୁଲି ଦେଖିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଦୁଇଟି ସ୍ଥାନ ବୁଲିବା ଦ୍ୱାରା ମହାତ୍ମାଙ୍କର ଅବଦାନ ଏବଂ ଓଡ଼ିଶାର ଆଦିବାସୀ ସଂସ୍କୃତି ସମ୍ପର୍କରେ ସେମାନେ ଅଧିକ ଜାଣିପାରିବେ ବୋଲି ସେ କହିଥିଲେ ।

୨୦ଟି ରାଜ୍ୟର ୨୧୦ ଜଣ ସ୍ୱେଚ୍ଛାସେବୀ ଏହି ଶିବିରରେ ଯୋଗ ଦେଇଥିବା ବେଳେ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ।

ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏନ୍‌ଏସ୍‌ଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।

ବିଶ୍ୱ ବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପ୍ରଫେସର ମହାପାତ୍ର ମଧ୍ୟ ଦେଶର ଅଖଣ୍ଡତା ରକ୍ଷା କରିବା ପାଇଁ ଏକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ୧୯୭୦ ମସିହାରେ ଏମ୍‌ବିବିଏସ୍ ଛାତ୍ର ଥିବା ବେଳେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଭାବେ ନିଜର ଅନୁଭୁତି ବଖାଣିଥିଲେ । ଯଦିଓ ଭାରତୀୟମାନେ ଭିନ୍ନଭିନ୍ନ ଧର୍ମରେ ବିଶ୍ୱାସ ରଖନ୍ତି ତଥାପି ସବୁ ମତଭେଦକୁ ଭୁଲି ଦେଶକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ସୋଆ ଏକ ବହୁବିଷୟକ ବିଶ୍ୱବିଦ୍ୟାଳୟ ଯାହା ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେଇଥାଏ । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ରେ ସୋଆ ବିଶ୍ୱବିଦ୍ୟାଳୟ ସ୍ତରରେ ୨୦ ତମ ସ୍ଥାନ ହାସଲ କରିପାରିଛି ।

ସୁଶ୍ରୀ ପଟେଲ୍ କହିଥିଲେ ଦେଶରେ ୪୦ ଲକ୍ଷ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଅଛନ୍ତି ଏବଂ ଏହା ଦେଶର ସବୁଠାରୁ ବଡ ଅନୁଷ୍ଠାନ । ସେହିପରି ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ଏହି ଅନୁଷ୍ଠାନ ଏକ ଉତ୍କୃଷ୍ଟ ମଂଚ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମ ଶେଷରେ ମୟୁରଭଞ୍ଜ ଜିଲ୍ଲା ଏନ୍‌ଏସ୍‌ଏସ୍ ଅଫିସର ଶ୍ରୀ ସ୍ମୃତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.