Odisha Link
Bridging the Missing Links in Odisha

ସପ୍ତାହେ ଯାଏଁ ବଢ଼ିବ ଥଣ୍ଡାର ପ୍ରକୋପ, ଜାରି ରହିବ ଶୀତ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ ଏବଂ ଏକ ସପ୍ତାହ ଯାଏଁ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ ବଙ୍ଗୋପସାଗର ଓ ଥାଇଲ୍ୟାଣ୍ଡ ଉପକୂଳ ସଂଲଗ୍ନ ଦକ୍ଷିଣ ଚୀନ ସାଗର ଉପରେ ସୃଷ୍ଟ ସାଇକ୍ଲୋନିକ୍ ସର୍କୁଲେସନ୍ ଉତର-ପଶ୍ଚିମ ଏବଂ ଉତର-ଉତର-ପଶ୍ଚିମ ଦିଗରୁ ଆଫଗାନିସ୍ଥାନ ଓ ପାକିସ୍ଥାନ ଆଡୁ ଶୁଷ୍କ ଥଣ୍ଡା ପବନ ପ୍ରବାହକୁ ସାହାଯ୍ୟ କରୁଥିବାରୁ ଏହି ଶୀତ ଲହରୀ ଅନୁଭୂତ ହେଉଛି ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ଶୁକ୍ରବାର ସୂଚନା ଦେଇଛନ୍ତି।

ଏଥି ନିମନ୍ତେ ଏହି ଶୀତ ଲହରୀର ପ୍ରକୋପ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଜମ୍ମୁ ଓ କାଶ୍ମୀର ଠାରୁ ଆରବସାଗର ପର୍ଯ୍ୟନ୍ତ ଉତର-ପଶ୍ଚିମ ଭାରତ ମଧ୍ୟରେ ଏକ ଅପର ଏୟାର ଟ୍ରଫ୍ ସୃଷ୍ଟି ହୋଇଥିବା ବେଳେ ଏହା ପୂର୍ବ ଆଡକୁ ମୁହାଁଉଛି ଓ ଓଡ଼ିଶା ଉପକୂଳରେ ବଙ୍ଗୋପ ସାଗରରେ ଡିସେମ୍ବର ୧୯ ରେ ପହଂଚିବାର ସମ୍ଭାବନା ଥିବା ସେ କହିଛନ୍ତି।

ଏହି ଶୀତର ପ୍ରକୋପ ଡିସେମ୍ବର ୧୯ ରୁ ୨୪ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ବୃଦ୍ଧି ପାଇବ ଓ ବଡ଼ଦିନରୁ ପବନର ଗତିରେ ପରିବର୍ତନ ଯୋଗୁଁ ଶୀତର ପ୍ରକୋପ କିଛିଟା କମିପାରେ ବୋଲି ଡଃ ସାହୁ କହିଛନ୍ତି।

Leave A Reply

Your email address will not be published.