ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଆଇନ ବିଭାଗରେ ଜାତୀୟସ୍ତରୀୟ ସେମିନାର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଅନୁଷ୍ଠାନର ସଭାଗୃହରେ Cyber crime and women with special reference to the information technology law: issues and challenges ବିଷୟକୁ ନେଇ ଏକ ଜାତୀୟ ସ୍ତରୀୟ ସେମିନାର ଆୟୋଜିତ ହୋଇଯାଇଛି। ଏହି ସେମିନାରରେ ମୁଖ୍ୟବକ୍ତା ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ବରିଷ୍ଠ ପ୍ରଫେସର ଡ. ଗୋଲକ ପ୍ରସାଦ ସାହୁ, ଅନ୍ୟତମ ବକ୍ତା ଭାବେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସୁକାନ୍ତ କୁମାର ନନ୍ଦ, ସ୍ନାତକୋତ୍ତର ଆଇନ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ମଂଚାସୀନ ହୋଇଥିଲେ।
ସେମିନାର ଆରମ୍ଭରେ ସ୍ନାତକୋତ୍ତର ଆଇନ ବିଭାଗ ମୁଖ୍ୟ ଡ. ସାଡ଼ୁଆଳ ସେମିନାରର ବିଷୟ ବାବଦରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମହିଳାମାନେ କିଭଳି ସାଇବର କ୍ରାଇମ୍ର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ସେ ବିଶେଷଭାବରେ ଆଲୋକପାତ କରିଥିଲେ। ପରେ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଗୋଲକ ପ୍ରସାଦ ସାହୁ ବିସ୍ତୃତ ଭାବରେ ସାଇବର ଅପରାଧ, ସମାଜ ଉପରେ ଏହାର ପ୍ରଭାବ ତଥା ବର୍ତମାନର ମହିଳା, ଯୁବଶ୍ରେଣୀ ଓ ଛାତ୍ରଛାତ୍ରୀମାନଙ୍କ ଉପରେ ଏହା କି ପ୍ରଭାବ ପକାଉଛି ସେ ବିଷୟରେ ଆଲୋକପାତ କରିଥିଲେ। ପ୍ରଫେସର ଡ. ସାହୁ ନିଜର ଦୀର୍ଘ ବକ୍ତବ୍ୟ ମାଧ୍ୟମରେ ସାଇବର କ୍ରାଇମର ଶୋଷଣ ହେଉଥିବା ବ୍ୟକ୍ତିବିଶେଷମାନେ କିଭଳି ଆଇନର ସହଯୋଗ ନେଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। ପରେ ପରେ ମଧୁସୂଦନ ଆଇନବିଭାଗର ପ୍ରଫେସର ଡ. ନନ୍ଦ ସାଇବର କ୍ରାଇମ୍ଜନିତ ଆଇନ, ଇନଫରମେସନ ଟେକ୍ନୋଲୋଜି ଆଇନ ଏବଂ କେଉଁଭଳି ଭାବରେ ପୀଡ଼ିତ ବ୍ୟକ୍ତିବିଶେଷ ଆଇନ ସାହାଯ୍ୟ ନେଇପାରିବେ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ। ସର୍ବଶେଷରେ ପ୍ରଫେସର ଡ଼ଃ ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏଥିରେ ଅନୁଷ୍ଠାନର ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ, ଆଇନ ଗବେଷକ ଗିରୀଶ ରଂଜନ ସାହୁ, ଗବେଷିକା ସ୍ୱପ୍ନା ବିଜୟୀନି, ବିଭୁପ୍ରସାଦ ମହାପାତ୍ର ତଥା ଓଡ଼ିଶାର ବିଭିନ୍ନ ଆଇନ୍ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ତଥା ସମାଜସେବୀ ଯୋଗ ଦେଇଥିଲେ। ଏହି ସେମିନାରକୁ ଅନୁଷ୍ଠାନର ଛାତ୍ରୀ ଶ୍ରଦ୍ଧା ସେଠ୍ ପରିଚାଳନା କରିଥିଲେ ଓ ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ ତଦାରଖ କରିଥିଲେ।