Odisha Link
Bridging the Missing Links in Odisha

ପ୍ରତାପଙ୍କ କୁଡ଼ିଆରେ ଖାଇଲେ ୨ କେନ୍ଦ୍ରମନ୍ତ୍ରୀ

ବାଲେଶ୍ବର: ଚାଳ ଛପର କୁଡ଼ିଆରେ ମଧ୍ୟାହ୍ନ ଭୋଜନ ଖାଇଲେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ସାଂସଦ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଚାଳ ଘରେ ଆଜି ମଧ୍ୟାହ୍ନ ଭୋଜନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଆଜି ନନାଙ୍କ ଘରେ ଅତିଥି ହୋଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଆଉ ଅତିଥି ସତ୍କାର କରିବା ପାଇଁ ସାଂସଦଙ୍କ ଭଉଣୀ, ଭାଣିଜୀ ଓ ସମ୍ପର୍କୀୟ ମାନେ କରିଥିଲେ ସମସ୍ତ ପ୍ରସ୍ତୁତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଜି ନୀଳଗିରିକୁ ରେଳ ନେଟ୍‌ୱର୍କରେ ସଂଯୋଗ କରିବା ପାଇଁ ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଡୁଡୁ ଆଜି ନନାଙ୍କ ଘରେ ମଧ୍ୟାହ୍ନ ଭୋଜନ କରି ବେଶ ଆନନ୍ଦିତ ହୋଇଛନ୍ତି। ଏଥିସହିତ ବାଲେଶ୍ୱର ଜିଲ୍ଲା ନୀଳଗିରିବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ଆଜି ପୂରା ହୋଇଛି।

ଏଣିକି ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ। ଯାହାର ଭିତ୍ତିପ୍ରସ୍ତର ଆଜି ସ୍ଥାପନ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଅପରାହ୍ନ ୨ଟା ୪୫ ମିନିଟ୍‌ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ପାସେଞ୍ଜର ଟ୍ରେନ୍‌ରେ ଗୋପୀନାଥପୁରରେ ପହଞ୍ଚିଥିଲେ। ସେଥିପାଇଁ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ରେଳ ଲାଇନ୍‌ ନବୀକରଣ କାର୍ଯ୍ୟର ଶିଳାନ୍ୟାସ୍‌ କରିଥିଲେ କେନ୍ଦ୍ରମନ୍ତ୍ରୀ। ଶିଳାନ୍ୟାସ୍‌ ପର୍ବ ସରିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ପ୍ରତାପ ଷଡ଼ଙ୍ଗୀଙ୍କ ଚାଳ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ।

Leave A Reply

Your email address will not be published.