Odisha Link
Bridging the Missing Links in Odisha

ମିଳିଲାନି ଗାଡ଼ି, ଦେଢ଼ କି.ମି ପୁଅର ମୃତଦେହକୁ କାନ୍ଧରେ ବୋହି ଚାଲିଲା ବାପା

ଓଏଲ୍‌ ବ୍ୟୁରୋ: ଚାଲିଗଲା ପୁଅର ଜୀବନ। ବାପା ଆଖି ଆଗରେ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କଲା ପୁଅ। ହେଲେ ଛାତିର କୋହକୁ ଚାପି ପୁଅର ଶବକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ଖୋଜିଥିଲା ବାପା। ହେଲେ ତାହା ମିଳିଲାନାହିଁ। ଶେଷରେ ନିରୁପାୟ ହୋଇ ଡାକ୍ତରଖାନାରୁ ପୁଅର ଶବକୁ ଦେଢ଼ କିଲୋମିଟର କାନ୍ଧରେ ବୋହି ବୋହି ଘରକୁ ଆଣିଥିଲା ବାପା। ଆଉ ପୁଅର ଶବ ପଛରେ ଆତ୍ମୀୟସଜନଙ୍କ ହୃଦୟଫଟା କାନ୍ଦରେ ଫାଟି ଯାଉଥିଲା ରାସ୍ତା। ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିିଛି ରାୟଗଡ଼ା ଜିଲ୍ଲାରେ।

ରାୟଗଡ଼ା ସଦର ମହକୁମା ହରିଜନ ସାହିର ସୁରଧର ବେନିଆଙ୍କ ୯ ବର୍ଷ ପୁଅ ଆକାଶଙ୍କ ରବିବାର ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିଲେ।

ପୁଅର ମୃତଦେହକୁ ଘରକୁ ଆଣିବା ପାଇଁ ଡାକ୍ତରଖାାନା ପକ୍ଷରୁ ମହାପ୍ରୟାଣ ଗାଡ଼ି ମିଳିନଥିଲା। ଗାଡ଼ି ଭଡ଼ା କରି ମୃତଦେହ ଆଣିବା ପାଇଁ ସୁରଧରଙ୍କ ପାଖରେ ଆର୍ଥିକ ସମ୍ବଳ ମଧ୍ୟ ନଥିଲା। ଶେଷରେ ପୁଅର ମୃତଦେହକୁ ବାପା ଦେଢ଼ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଥିଲେ। ପଛରେ ମା’ ଓ ପରିବାର ଲୋକେ କାନ୍ଦିକାନ୍ଦି ଚାଲିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ରାୟଗଡ଼ା ଜିଲ୍ଲାପାଳ ସରୋଜ ମିଶ୍ର କହିଛନ୍ତି, ମୃତଦେହ ନେବା ପାଇଁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଗାଡ଼ି ରହିଛି। କ’ଣ ପାଇଁ ଏପରି ଘଟଣା ଘଟିଲା ତଦନ୍ତ କରାଯିବ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.