Odisha Link
Bridging the Missing Links in Odisha

ଫକୀର ମୋହନ, ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସଙ୍କ “ନିର୍ବାଚିତ ଗଳ୍ପ” ଉନ୍ମୋଚିତ

ଭୁବନେଶ୍ୱର: ଗପ ପଢ଼ିବା, ଲେଖିବା ଓ କହିବା ଅଭ୍ୟାସଟି ଆମ ପିଲାମାନଙ୍କ ଭିତରେ ରହିଲେ, ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ ହୋଇପାରିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଦ୍ୟ ସାହିତ୍ୟ ଯେତେ ସମୃଦ୍ଧ ହେବ, ତାହା ସେତିକି ସଶକ୍ତ ହେବ ଏବଂ ଏହାର ଅବକ୍ଷୟକୁ ରୋକା ଯାଇପାରିବ। ଏହାସହ ଆମକୁ ସମୟ ସହ ତାଳଦେଇ ଆଧୁନିକ ଜ୍ଞାନକୌଶଳକୁ ଆପଣାଇ କ୍ଷୁଦ୍ର ଗଳ୍ପ ଗୁଡ଼ିକୁ ପାଠକାଦୃତି କରାଇବାର ଆବଶ୍ୟକତା ରହିଛି। ‘ପେନ୍ ଇନ୍ ବୁକ୍ସ’ ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରକାଶିତ ବ୍ୟାସକବି ଫକୀର ମୋହନ ସେନାପତି, ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ସୁରେନ୍ଦ୍ର ମହାନ୍ତି ଓ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ “ନିର୍ବାଚିତ ଗଳ୍ପ” ସଂକଳନର ଉନ୍ମୋଚନୀ ଉତ୍ସବର ମୁଖ୍ୟ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକଙ୍କ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ସାହିତ୍ୟରେ ସାମର୍ଥ୍ୟ ଥିଲେ, ତାହା ଦିନେ ନା ଦିନେ ଉପରକୁ ଉଠିପାରିବ। ଯେମିତିକି ଆଜି ଉନ୍ମୋଚିତ ହେଉଥିବା ମହାପୁରୁଷମାନଙ୍କ ଅବର୍ତ୍ତମାନରେ ବି ତାଙ୍କ ଲେଖାଗୁଡ଼ିକ ନିଜର ସାମର୍ଥ୍ୟ ବଳରେ ଆଜି ପୁଣି ସାମନାକୁ ଆସିଛନ୍ତି। ଏହାସହ ଏହି ବହି ଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଅଞ୍ଚଳରେ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକ ରିହାତି ମୂଲ୍ୟରେ ବିକ୍ରି କରିବା ପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ କବି ଓ ଅନୁବାଦକ ପ୍ରଫେସର ନିଶାମଣୀ କର କହିଲେ, ଗପ ଏବଂ ଉପନ୍ୟାସ ଭିତରେ ଏକ ଭିନ୍ନତା ଥାଏ। ସବୁବେଳେ ଗପର ଆରମ୍ଭ ଏବଂ ମଧ୍ୟ ଭାଗ ସାଧାସିଧା ଥିବାବେଳେ ଶେଷଭାଗ ଚମତ୍କୃତ କରିଦିଏ। ଆଜି ଏହି ମହାପୁରୁଷମାନଙ୍କ ଗଳ୍ପ ସଂକଳନ ଉନ୍ମୋଚନ ବେଶ୍ ପ୍ରଶଂସନୀୟ। ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରି କହିଥିଲେ ଯେ ଏହି ଶୃଙ୍ଖଳର ପ୍ରଥମ ଚରଣରେ ୩ଟି ପୁସ୍ତକ ପ୍ରକାଶ ପାଇଥିବାବେଳେ ଆଗକୁ ୧୦୦ ଜଣ ପ୍ରତିନିଧିସ୍ଥାନୀୟ କଥାକାରଙ୍କର “ନିର୍ବାଚିତ ଗଳ୍ପ” ପ୍ରକାଶ ପାଇବ।

Leave A Reply

Your email address will not be published.