Odisha Link
Bridging the Missing Links in Odisha

ଓଡ଼ିଶାରେ ରାଜନୀତି କରିବେ KCR ! ଗମାଙ୍ଗଙ୍କ ପରେ ଭେଟିଲେ ପାଙ୍ଗୀ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ଢେର ଦିନ ବାକିଥିବା ବେଳେ ଏବେଠୁ ଓଡ଼ିଶା ରାଜନୀତି ପାଣିପାଗ ବଦଳିବାରେ ଲାଗିଛି। ଆମ୍‌ ଆଦମୀ ପାର୍ଟି ପରେ ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ନେତୃତ୍ୱାଧୀନ ‘ଭାରତ ରାଷ୍ଟ୍ର ସମିତି’ (ବିଆରଏସ)ର ନଜର ଓଡ଼ିଶା ଉପରେ ରହିଛି। ବିଶେଷକରି ତେଲୁଗୀ ଭାଷାଭାଷୀ ରହୁଥିବା ସ୍ଥାନ ଉପରେ ବିଆରଏସ ନଜର ପକାଇଛନ୍ତି। ଗତ ୪ଦିନ ମଧ୍ୟରେ ଓଡ଼ିଶାର ୨ଜଣ ବରିଷ୍ଠ ଆଦିବାସୀ ନେତାଙ୍କୁ ସାକ୍ଷାତ କରି ବିଆରଏସ୍ ମୁଖ୍ୟ କେସିଆର ତାଙ୍କର ଓଡ଼ିଶା ସମ୍ପ୍ରସାରଣର ଆଭାସ ଦେଇଛନ୍ତି। ଯାହା ଏବେ ଓଡ଼ିଶା ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ଦୁଇ ଦିନ ପୂର୍ବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଭେଟିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ଆଉ ଏବେ କେସିଆଆରଙ୍କୁ ଭେଟିଛନ୍ତି ଜୟରାମ ପାଙ୍ଗି। ୩ ଦିନ ହେଲା ହାଇଦ୍ରାବାଦରେ ରହିଛନ୍ତି ପାଙ୍ଗି। କେସିଆରଙ୍କ ସହ କରିଛନ୍ତି ବୈଠକ। କେସିଆର୍‌ଙ୍କ ନିମନ୍ତ୍ରଣ ପାଇ ହାଇଦ୍ରାବାଦ ଆସିଥିବା କହିଛନ୍ତି ପାଙ୍ଗି। କେସିଆର୍‌ଙ୍କ ବିଆରଏସ୍‌ରେ ସାମିଲ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ସମୟ କହିବ।

୨୦୨୪ ନିର୍ବାଚନ ପୂର୍ବରୁ ଅଚାନକ ଏହି ଭେଟ୍‌ଘାଟ ହୋଇଥିବାରୁ ଏହା ସାଧାରଣ ଭେଟ ନୁହେଁ ବୋଲି ଚର୍ଚ୍ଚା ହେଉଛି। ବିଜେପି ଛାଡ଼ି ଉଭୟ ବିଆର୍‌ଏସ୍‌ରେ ଯୋଗ ଦେବା ନେଇ କଲ୍ପନାଜଳ୍ପନା ଆରମ୍ଭ ହୋଇଛି । ଏ ନେଇ ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ର ସମିତିରେ ଯୋଗ ଦେବାକୁ ତାଙ୍କୁ ଅଫର ଦିଆଯାଇଥିଲା। ଓଡିଶାରେ ବିଆର୍‌ଏସ୍‌କୁ ଲିଡ୍ କରିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ପାଙ୍ଗୀ ୨୦୧୭ ମେ’ ମାସରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ପରେ ଦଳରେ ନିଜକୁ ଅଣଦେଖା ଅଭିଯୋଗ ଆଣି ୨୦୨୨ ଏପ୍ରିଲ ମାସରେ ବିଜେପିରୁ ଇସ୍ତଫା ଦେଇଥିଲେ। ସେବେଠୁ ଶ୍ରୀ ପାଙ୍ଗୀ କୌଣସି ଦଳରେ ସାମିଲ ନହୋଇ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଢ଼ି ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର କିଛି ଅଂଚଳକୁ ନେଇ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଂଚଳ ଦାବି କରୁଛନ୍ତି। ଯାହାର ମୁଖ୍ୟାଳୟ କୋରାପୁଟ ଜିଲ୍ଲାରେ ରହିବ ବୋଲି ସେ କହିଛନ୍ତି । କିନ୍ତୁ କେସିଆରଙ୍କୁ ସାକ୍ଷାତ ପରେ ଶ୍ରୀ ପାଙ୍ଗୀ ବିଆରଏସ ପାର୍ଟରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.