Odisha Link
Bridging the Missing Links in Odisha

ହାତରେ କୁକୁଡ଼ା ତରକାରୀ ଧରି ଥାନାରେ ଅଭିଯୋଗ କଲେ ବିଜେଡି ନେତା

ଓଏଲ୍‌ ବ୍ୟୁରୋ: କୁକୁଡ଼ା ପାଇଁ ଥାନାର ଦ୍ବାରସ୍ଥ ହେଲେ ବିଜେଡି ନେତା। ବିଶେଷ ଭାବେ ଅପରାଧ, ଚୋରି, ହତ୍ୟା, ଜମିବାଡ଼ି ବିବାଦ କିମ୍ବା ଲୁଟ୍‌ ଆଦି ଘଟଣାକୁ ନେଇ ପ୍ରାୟ ସମସ୍ତେ ଥାନାରେ ଅଭିଯୋଗ କରିଥାନ୍ତି। ହେଲେ କୋରାପୁଟରେ ଚିକେନ ତରକାରୀ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କାଉନସିଲରଙ୍କ ସ୍ୱାମୀ। କୋରାପୁଟ ପୌର ପରିଷଦ ୧୦ ନମ୍ବର ୱାର୍ଡ କାଉସିଲର କମଳା ନାୟକଙ୍କ ସ୍ୱାମୀ ଧନଞ୍ଜୟ ନାୟକ ଖରାପ କୁକୁଡ଼ା ମାଂସକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ଧନଞ୍ଜୟ ନାୟକ ଗଣମାଧ୍ୟମକୁ କହିଛନ୍ତି, କୁକୁଡ଼ା ମାଂସ ଖାଇବାକୁ ଇଚ୍ଛା ହେବାରୁ ଚନ୍ଦନ ପୋଖରୀ ନିକଟ ଏକ ଦୋକାନକୁ ଯାଇ କେଜିଏ ମାଂସ କିଣିଥିଲି। ଘରକୁ ଆଣି ତରକାରୀ କରି ଖାଇବା ବେଳେ ସ୍ବାଦ ପୁରା ଭିନ୍ନ ଲାଗିଥିଲା। ସେଇ ମାଂସ ତରକାରୀକୁ ଧରି ଦୋକାନୀ ପାଖକୁ ଯାଇ ପଚାରିବାରୁ ସେ ତାଙ୍କୁ ମଲା କୁକୁଡ଼ା ମାଂସ ଦେଇଥିବା କଥା କହିଥିଲା। ସତ ମାନିବା ସହିତ ତାଙ୍କ ଟଙ୍କା ଫେରସ୍ତ କରିବା ପାଇଁ ମଧ୍ୟ କହିଥିଲେ।

ଏହାପରେ କାଉନସିଲରଙ୍କ ସ୍ବାମୀ ଥାନାକୁ ଯାଇ ଦୋକାନୀ ନାମରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ବିଜେଡି ନେତାଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ସଂପୃକ୍ତ ଦୋକାନୀ ଅର୍ଥାତ୍‌ ଜଣେ ମହିଳା ଓ ତାଙ୍କ ପୁଅକୁ ପୁଲିସ ଉଠାଇ ଆଣିଥିଲା। ଏହାପରେ ଆଗକୁ ଏଭଳି ନକରିବାକୁ ତାଗିଦ୍‌ କରି ଛାଡ଼ିଥିଲା। ବିଜେଡି ନେତା କୁକୁଡା ଝୋଳ ଧରି ଥାନାରା ଦ୍ବାରସ୍ଥ ହେବା ଘଟଣା ଏବେ କୋରାପୁଟ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.