Odisha Link
Bridging the Missing Links in Odisha

ଏଚ୩ଏନ୨ ଭୂତାଣୁ ଡର, କାଲିଠୁ ମାର୍ଚ୍ଚ ୨୬ ଯାଏଁ ସ୍କୁଲ ବନ୍ଦ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଡରାଇବାରେ ଲାଗିଛି ଏଚ୍‌୩ଏନ୍‌୨ ଭୂତାଣୁ। ବିଗତ କିଛିଦିନ ହେବ ଦେଶରେ ଏଚ୩ଏନ୍୨ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହାକୁ ନଜରରେ ରଖି ସରକାର ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏସବୁ ମଧ୍ୟରେ ପୁଡ଼ୁଚେରୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲିଠୁ ମାର୍ଚ୍ଚ ୨୬ ତାରିଖ ଯାଏଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏଚ୩ଏନ୨ ୫ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏହା ଅଧିକ ବିପଦ ହୋଇପାରେ । କାରଣ ରିପୋର୍ଟ ଅନୁସାରେ ୫ ବର୍ଷରୁ କମ୍‌ ବୟସର ପିଲା ଅଧିକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପିଲାଙ୍କ କ୍ଷେତ୍ରରେ କୌଣସି ଔଷଧ ଓ ଆଣ୍ଟିବାୟୋଟିକ୍‌ କାମ ଦେଉନି। ବିଶେଷକରି ଶିଶୁମାନଙ୍କ କ୍ଷେତ୍ରରେ କାଶ ଓ ଜ୍ବର ଲାଗିରହୁଛି। ଯାହାକୁ ନଜରରରେ ରଖି ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ପୁଡ଼ୁଚେରୀ ସରକାର।

ଏହି ନିର୍ଦ୍ଦେଶନାମା ପୁଡୁଚେରୀ, କାରାଇକାଲ, ମାହେ ଓ ୟାନାମରେ ଲାଗୁ ହେବ। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏବେ ଅଧିକାଂଶ ଛୋଟ ପିଲା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହେଉଛନ୍ତି। ଆଗକୁ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ଥିବାରୁ ସରକାର ୧୦ ଦିନ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

ଏ ସମ୍ପର୍କରେ ବିଧାନସଭାର ଶୂନ୍ୟକାଳରେ ମତ ରଖି ଗୃହ ଓ ଶିକ୍ଷା ମନ୍ତ୍ରୀ ଏ ନମଶିବାୟମ କହିଛନ୍ତି, ଛୋଟ ପିଲାଙ୍କ କ୍ଷେତ୍ରରେ ଇନଫ୍ଲୁଏଞ୍ଜା ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ, ଘରୋଇ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଉଛି।

Leave A Reply

Your email address will not be published.