Odisha Link
Bridging the Missing Links in Odisha

ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ୧୧ ହଜାରରୁ ଅଧିକ ସ୍କୁଲ ଘର

ଏସବୁ ଅସୁରକ୍ଷିତ ଶ୍ରେଣୀ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଓଏଲ୍‌ ବ୍ୟୁରୋ: ବିଧାନସଭା ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା ଚାଲିଥିବାବେଳେ ଗୃହରେ ବିଦ୍ୟାଳୟକୁ ନେଇ ଉତ୍ତର ରଖିଥିଲେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ। ଗୃହରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଯେ ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ୧୧ ହଜାର ୯୨୯ ସ୍କୁଲ ଘର। ଏସବୁ ଅସୁରକ୍ଷିତ ଶ୍ରେଣୀ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଦ୍ୟାଳୟର ଭିତ୍ତିଭୂମିକୁ ନେଇ ବିରୋଧୀଦଳ ପ୍ରଶ୍ନ କରିଥିବାବେଳେ ଏହାର ଉତ୍ତର ରଖି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗ୍ରାମାଞ୍ଚଳରେ ଥିବା ବିପଦସଙ୍କୁଳ ସ୍କୁଲଗୁଡ଼ିକର ମରାମତି ପାଇଁ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି।

୨୦୨୨-୨୩ରେ ଅତିରିକ୍ତ ୩୬୮୩ ଶ୍ରେଣୀ ଗୃହ ନିର୍ମାଣ କରାଯିବ। ଏଥିମଧ୍ୟରୁ ୧୦୦୩ ସ୍କୁଲ ଘରର ମରାମତି ଚାଲିଛି। ଆଗକୁ ୪୧୯୫ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ମରାମତି କରାଯିବ। ଏହାଛଡ଼ା ବିଭିନ୍ନ ସ୍କୁଲ ନିମନ୍ତେ ମୋଟ୍ ୭୭ ହଜାର ୯୩୧ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯିବ ବୋଲି ଗୃହରେ ଉତ୍ତର ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ। ବିଦ୍ୟାଳୟର ଭିତ୍ତିଭୂମି ଅତି ଦୟନୀୟ ଅବସ୍ଥାରେ ଥିବା ନେଇ ବିରୋଧୀ ଦଳମାନେ ଅଭିଯୋଗ କରୁଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ଗୃହରେ ରଖିଥିବା ଉତ୍ତର ବିଦ୍ୟାଳୟର ବର୍ତମାନ ପରିସ୍ଥିତି ସମ୍ପୂର୍ଣ ରୂପେ ସୂଚାଇ ଦେଇଛି।

Leave A Reply

Your email address will not be published.