Odisha Link
Bridging the Missing Links in Odisha

ଶେଷ ଓଭରରେ ପଲଟିଲା ବାଜି, ଚର୍ଚ୍ଚାରେ ଏହି ବୋଲର

ଓଏଲ୍‌ ବ୍ୟୁରୋ: ଅନ୍ତିମ ଚରଣରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ତମ ସଂସ୍କରଣ। ଦିନକୁ ଦିନ ଖେଳାଯାଉଥିବା ମ୍ୟାଚ ଖେଳପ୍ରେମୀଙ୍କ ମନରେ ଭରି ଦେଉଛି ଅଧିକ ରୋମାଞ୍ଚ। କାରଣ କେଉଁ ୪ଟି ଦଳ ପ୍ଲେ ଅଫ୍‌ରେ ପ୍ରବେଶ କରିବେ ସେ ନେଇ ଚାଲିଛି ଅଙ୍କକଷା। ଆଇପିଏଲର ୬୩ ତମ ମୁକାବିଲାରେ ୫ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍‌ ଦେଇ ପ୍ଲେ ଅଫ୍‌ର ନିକଟତର ହୋଇଛି ଲକ୍ଷ୍ନୌ ସୁପରଜିଆଣ୍ଟସ୍‌।

ମୁମ୍ବାଇ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିଲା ହାଇଭୋଲଟେଜ ମ୍ୟାଚ। ପ୍ରଥମେ ଲକ୍ଷ୍ନୌ ଟିମ୍‌ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୭ ରନ୍‌ କରିଥିଲା। ଯାହାଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୭୮ ରନର ଟାର୍ଗେଟ ରହିଥିଲା। ୧୭୮ ରନର ପିଛା କରିବାକୁ ମୁମ୍ବାଇ ପକ୍ଷରୁ ରୋହିତ ଓ ଈଶାନ ମଇଦାନକୁ ଓହ୍ଲାଇଥିଲେ। ଦୁହେଁ ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ। କିନ୍ତୁ ୯୦ ରନ୍‌ ଭାଗୀଦାରି ପରେ ଏ ଦୁହେଁ ଅଲଗା ହୋଇଯିବା ମାତ୍ରେ ଲକ୍ଷ୍ନୌ ଚାପ ପକାଇବା ସହ ମ୍ୟାଚ୍‌କୁ ଶେଷ ଭାଗ ପର୍ଯ୍ୟନ୍ତ ନେଇଥିଲା।

ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍‌ ଆବଶ୍ୟକ ପଡ଼ିଥିଲା। ୧୯ତମ ଓଭରରେ ନବୀନ ଉଲ୍ ହକ୍‌ଙ୍କୁ ଟିମ୍ ଡେଭିଡ୍ ୨ ଛକା ମାରି ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍‌ ଜିତିଯିବ ବୋଲି ସଭିଏଁ ଧରି ନେଇଥିଲେ। ପ୍ରଥମ ଓଭରରେ ୧୩ ରନ୍‌ ବ୍ୟୟ କରି ଅଭିଯାନ ଆରମ୍ଭ କରିଥିବା ସ୍ଥାନୀୟ ଖେଳାଳି ମୋହସିନ୍ ଖାନ୍‌ ଶେଷ ଓଭରରେ କିନ୍ତୁ ଅସମ୍ଭବ ଲାଗୁଥିବା ୧୧ ରନ୍‌କୁ ଡିଫେଣ୍ଡ କରି ଦେଇଥିଲେ। ଟିମ୍ ଡେଭିଡ୍‌ ଓ କାମେରନ୍ ଗ୍ରିନ୍‌ କ୍ରିଜ୍‌ରେ ଥିଲେ ମଧ୍ୟ ମୋହସିନ୍ ମାତ୍ର ୫ ରନ୍ (୦, ୧, ୧, ୦, ୧, ୨) ବ୍ୟୟ କରି ମୁମ୍ବାଇକୁ ରୋକି ଦେଇଥିଲେ।

ଲକ୍ଷ୍ନୌ ପାଳିରେ ଚମତ୍କାର ବ୍ୟାଟିଂ କରିଥିବାରୁ ମାର୍କସ ଷ୍ଟୋଇନିସ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏବେ ପ୍ଲେ ଅଫ୍ ଯୋଗ୍ୟତା ଲାଗି ଲକ୍ଷ୍ନୌକୁ ଶନିବାର ଯାଏଁ ଅପେକ୍ଷା କରିବାକୁ ପଡ଼ିବ କାରଣ ଲକ୍ଷ୍ନୌ ଶନିବାର ଦିନ କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟି। ମ୍ୟାଚର ଫଳାଫଳ ପରେ ପ୍ଲେ ଅଫ୍‌ ଚୂଡ଼ାନ୍ତ ସ୍ପଷ୍ଟ ହୋଇଯିବ। ସେହିପରି ମୁମ୍ବାଇକୁ ରବିବାର ଯାଏଁ ଅପେକ୍ଷା କରିବାକୁ ପଡ଼ିବ। କାରଣ ମୁମ୍ବାଇ ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ସହ ଲିଗ୍‌ ପର୍ଯ୍ୟାୟର ଶେଷ ମୁକାବିଲା ଖେଳିବ। ତାରି ଫଳାଫଳ ହିଁ ମୁମ୍ବାଇ ପ୍ଲେ ଅଫ୍‌ରେ ସ୍ଥାନ ପାଇବ ନା ନାଇଁ ସ୍ପଷ୍ଟ କରିବ।

ମାନ ରଖିଲେ ମୋହସିନ:

ମୁମ୍ବାଇକୁ ଶେଷ ଓଭରରେ ୧୧ ରନର ଆବଶ୍ୟକତା ଥିବା ବେଳେ ଲକ୍ଷ୍ନୌର ମୋହସିନ ମାତ୍ର ୫ ରନ୍‌ ଦେଇ ମୁମ୍ବାଇ ବିଜୟରେ ରୋକ ଲଗାଇଥିଲେ। ଯାହାଫଳରେ ମୁମ୍ବାଇ ୫ ଓ୍ବିକେଟ ହରାଇ ୧୭୨ ରନରେ ଅଟକି ଥିଲା ଆଉ ୫ ରନରେ ପରାଜିତ ହୋଇଥିଲା। ମୁମ୍ବାଇ ପକ୍ଷରୁ ଈଶାନ କିଶନ ୩୯ ବଲରେ ୫୯ ରନର ଦମଦାର ଇନିଂସ୍‌ ଖେଳିଥିବା ବେଳେ ରୋହିତ ଶର୍ମା ୨୫ ବଲରେ ୩୭ ରନର ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ଟିମ୍‌ ଡେଭିଡ ୧୯ ବଲରେ ୩୨ ରନର ଇନିଂସ ଖେଳିଥିବା ସତ୍ତ୍ବ ଦଳକୁ ବିଜୟ ଦେଇ ପାରି ନଥିଲେ। ଲକ୍ଷ୍ନୌ ପକ୍ଷରୁ ୟଶ ଠାକୁର ଓ ରବି ବିଶ୍ନୋଇ ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ମୋହସିନ ଗୋଟିଏ ସଫଳତା ପାଇଥିଲେ।

ମୋହସିନଙ୍କ ଶେଷ ଓଭର:

ପ୍ରଥମ ବଲ୍: କୌଣସ ରନ୍‌ କରି ପାରିନଥିଲେ କାମରେନ୍‌ ଗ୍ରୀନ୍‌

ଦ୍ବିତୀୟ ବଲ୍: ୧ ରନ୍‌ କରିଥିଲେ କାମରେନ୍‌ ଗ୍ରୀନ୍

ତୃତ୍ବୀୟ ବଲ୍: ୧ ରନ୍‌ କରିଥିଲେ ଟିମ୍‌ ଡେଭିଡ୍

ଚତୁର୍ଥ ବଲ୍: କୌଣସ ରନ୍‌ କରି ପାରିନଥିଲେ କାମରେନ୍‌ ଗ୍ରୀନ୍‌

ପଞ୍ଚମ ବଲ୍: ୧ ରନ୍‌ କରିଥିଲେ କାମରେନ୍‌ ଗ୍ରୀନ୍

ଷଷ୍ଠ ବଲ୍: ୨ ରନ୍‌ କରିଥିଲେ ଟିମ୍‌ ଡେଭିଡ୍

Leave A Reply

Your email address will not be published.