Odisha Link
Bridging the Missing Links in Odisha

ଆଞ୍ଚଳିକ ଦଳକୁ ଅଜଣା ଚାନ୍ଦା: ଡିଏମ୍‌କେ ପଛକୁ ବିଜେଡି

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) ରିପୋର୍ଟ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ଆଞ୍ଚଳିକ ଦଳଗୁଡ଼ିକର ପାଣ୍ଠି ଉତ୍ସର ଏକ ରିପୋର୍ଟ ପ୍ରକାଶ କରିଛି ଏଡିଆର୍‌। ରିପୋର୍ଟ ଅନୁଯାୟୀ ଅଜଣା ସୂତ୍ରରୁ ସର୍ବାଧିକ ଅର୍ଥ ପାଇଥିବା ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଡିଏମ୍‌କେ ଶୀର୍ଷରେ ଥିବାବେଳେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି। ଡିଏମକେ ୩୦୬.୦୨୫ କୋଟି ଟଙ୍କା ପାଇଥିବା ବେଳେ ବିଜେଡି ୨୯୧.୦୯୬ କୋଟି ଟଙ୍କା ପାଇଛି।

ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଦେଶର ୨୭ଟି ଆଞ୍ଚଳିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୧୬୫.୫୭୬ କୋଟି ଟଙ୍କା ପାଇଛନ୍ତି। ତେବେ ଏଥିରୁ ଦାତାଙ୍କ ସଂପର୍କରେ ତଥ୍ୟ ଥିବା ସୂତ୍ରରୁ ମାତ୍ର ୧୪୫.୪୨ କୋଟି ଟଙ୍କା ବା ୧୨.୪୭୬ ପ୍ରତିଶତ ଆସିଛି। ଅନ୍ୟ ଜଣା ଉତ୍ସରୁ ଯଥା ସଦସ୍ୟତା ଫି, ବ୍ୟାଙ୍କ ସୁଧ ଆଦି ବାବଦରେ ୧୩୨.୬୦୫ କୋଟି ବା ୧୧.୩୭୭ ପ୍ରତିଶତ ଆସିଥିବା ଉଲ୍ଲେଖ ରହିଛି। ଏହି ଦୁଇଟି ଜଣା ଉତ୍ସରୁ ୨୩.୮୫୩ ପ୍ରତିଶତ ଆସିଛି। ଅବଶିଷ୍ଟ ୮୮୭.୫୫୧ କୋଟି ଟଙ୍କା ବା ମୋଟ ଆୟର ୭୬.୧୪୭ ପ୍ରତିଶତ ଅଜଣା ସୂତ୍ରରୁ ଆସିଛି।

ଏଡିଆର୍‌ ରିପୋର୍ଟରୁ ଆହୁରି ଜଣଯାଇଛି ଯେ ବିଜୁ ଜନତା ଦଳ (ବିଜେଡି) ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୩୦୭.୨୮୮ କୋଟି ଟଙ୍କା ଆୟ କରିଛି। ହେଲେ ଏଥିରୁ ୯୪.୭୩ ପ୍ରତିଶତ ବା ୨୯୧.୦୯୬ କୋଟି ଟଙ୍କା ଅଜଣା ଉତ୍ସରୁ ସଂଗ୍ରହ କରିଛି। ଉକ୍ତ ବର୍ଷ ବିଜେଡି ନିର୍ବାଚନ କମିସନଙ୍କୁ ଦାନର ବିସ୍ତୃତ ଘୋଷଣା ଦିଆଯାଇଥିବା ରିପୋର୍ଟରୁ କିଛି ମିଳି ନାହିଁ। କିନ୍ତୁ ଅନ୍ୟ ଜଣା ଉତ୍ସରୁ ବିଜେଡି ୧୬.୧୯୨ କୋଟି ଟଙ୍କା ପାଇଛି। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ସର୍ବାଧିକ ୩୧୮.୭୪୫ କୋଟି ଟଙ୍କା ଆୟ କରିଥିବା ଷ୍ଟାଲିନଙ୍କ ଡିଏମକେ ଅଜଣା ଉତ୍ସରୁ ମଧ୍ୟ ସବୁଠୁ ଅଧିକ ୩୦୬.୦୨୫ କୋଟି ବା ୯୬.୦୧ ପ୍ରତିଶତ ଅର୍ଥ ପାଇଛି। ବିଜେଡି ପଛକୁ ଟିଆର୍‌ଏସ୍‌ ୨୦୨୧-୨୨ରେ ୨୧୮.୧୧୨ କୋଟି ଟଙ୍କା ଆୟ କରିଥିବାବେଳେ ଏଥିରୁ ୭୦.୧୬ ପ୍ରତିଶତ ବା ୧୫୩.୦୩୭ କୋଟି ଟଙ୍କା ଅଜଣା ସୂତ୍ରରୁ ଆସିଛି।

Leave A Reply

Your email address will not be published.