Odisha Link
Bridging the Missing Links in Odisha

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ, ଜାଣନ୍ତୁ କେତେବେଳେ ହେବ ରଥଟଣା

ସେ ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା ହେବ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ରଥକାର୍ଯ୍ୟ ଜୋରସୋରରେ ଚାଲିଛି। ଚଳଚଞ୍ଚଳ ପୁରୀର ରଥଖଳା। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ହୋଇଛି। ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ରଥଯାତ୍ରା ଦିନ ସକାଳ ୯ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ସମୟ ସ୍ଥିର ହୋଇଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ।

ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଯାତ୍ରା ପାଇଁ ରଥ କାର୍ଯ୍ୟ ଚାଲିଥିବାବେଳେ ରଥକାଠ ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର। ତିନି ରଥର ମୋଟ ୪୨ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନି ରଥର ବାକି ଥିବା ଅଖର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ୧୮ଟି ଅଖରେ ସଂଯୋଗ ହେଲା ୩୬ଟି ଚକ। ପ୍ରଥମେ ତାଳଧ୍ବଜ, ତାପରେ ନନ୍ଦିଘୋଷରେ ଚକ ସଂଯୋଗ ହୋଇଛି। ଶେଷରେ ଦର୍ପଦଳନ ରଥରେ ଚକ ସଂଯୋଗ ହେଲା।

ଅନ୍ୟପଟେ, ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ଏବଂ ସେବାୟତ ମଧ୍ୟ ନିଜ ନିଜ କାମରେ ଲାଗିପଡିଛନ୍ତି। ରଥକାର୍ଯ୍ୟ ଚାଲିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ସିଂହଦ୍ବାର ରୁପା ଛାଉଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଉଛି। ଶ୍ରୀମନ୍ଦିର ରୁପା ଛାଉଣୀ ପାଇଁ ଆବଶ୍ୟକ ରୁପା ଦାତା ଯୋଗାଇ ଦେବେ। ସିଂହଦ୍ବାରରେ କେତେ ରୁପା ଲାଗିବ ଜଣାଇଲା ପରେ ଦାତା ଦେବେ। ସେ ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା ହେବ। ତେବେ ରଥଯାତ୍ରାବେଳେ ରୁପାରେ ଛାଉଣି ହେବ ସିଂହଦ୍ବାର।

Leave A Reply

Your email address will not be published.