Odisha Link
Bridging the Missing Links in Odisha

ଓଡ଼ିଶା ରାଜନୀତି ଓ ମେ’ ୨୯

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ମେ’ ମାସ ୨୯ ତାରିଖ। ଏହା ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। କହିବାକୁ ଗଲେ ମେ’ ୨୯ ତାରିଖ ଓଡ଼ିଶା ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ ହୋଇଛି ରହିଛି। ଆଜି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ। ସେହିପରି ଆଜିର ଦିନରେ ଏକ ଦଶନ୍ଧି ତଳେ ହୋଇଥିବା ମିଡ୍‌ ନାଇଟ୍‌ ଅପରେସନ୍‌ ଏବେ ବି ରହସ୍ୟ ଘେରରେ ରହିଛି। ଓଡ଼ିଶା ପ୍ରଶାସନିକ ସ୍ତରର ସବୁଠୁ ଚର୍ଚ୍ଚିତ ଓ ଲୋକପ୍ରିୟ ଅଧିକାରୀ ତଥା ୫-ଟି ସେକ୍ରେଟେରୀ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ଆଜି ହେଉଛି ଜନ୍ମ ଦିବସ। ଅନ୍ୟପଟେ ଭୟ, ଆତଙ୍କ, ବିଦ୍ରୋହ ବିଶ୍ୱାସଘାତକତା ଓ ସଫଳତାର ଫେଣ୍ଟାଫେଣ୍ଟି ଦିନର ମୁକସାକ୍ଷୀ ହେଉଛି ଏହି ମେ’ ୨୯।

ନବୀନ ସରକାର ୫.୪:
ଆଜିର ଦିନରେ ହିଁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ ବିଜେଡି ସରକାର ସଫଳତାର ସହ ୨୩ ବର୍ଷ ପୂରଣ କରି ୨୪ବର୍ଷରେ ପାଦ ଥାପିଛି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କ୍ରମାଗତ ୫ମ ପାଳି ଶାସନର ଚତୁର୍ଥ ବର୍ଷ ପୂରଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଓଡ଼ିଶାର ସଫଳତା ଓ ବିକାଶ ଜାତୀୟସ୍ତରରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ପାଲଟିଛି। ଏପରିକି ଭାରତରେ ଅପରାଜେୟ ନେତା ଭାବେ ନବୀନ ପଟ୍ଟନାୟକ ଖୁବ ପରିଚିତ। ଓଡ଼ିଶାକୁ ସମୃଦ୍ଧ ଓ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଙ୍କି ଚାଲିଛନ୍ତି ବିକାଶର ନକ୍ସା।

ଆଜିକୁ ଠିକ୍ ୪ ବର୍ଷ ତଳେ ୨୦୧୯ ମେ’ ୨୯ ତାରିଖରେ ପଞ୍ଚମ ଥର ପାଇଁ ସରକାର ଗଠନ କରିଥିଲା ବିଜୁ ଜନତା ଦଳ। ୨୦୦୦, ୨୦୦୪, ୨୦୦୯, ୨୦୧୪ ପରେ ୨୦୧୯ ମସିହାର ମଧ୍ୟ ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ନିର୍ବାଚନ ଫଳାଫଳ। ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ। ବିରୋଧୀଙ୍କୁ ପୁଣିଥରେ ନିର୍ବାଚନରେ ମାତ୍ ଦେଇ, ବିଜେଡିକୁ ବହୁମତ ଦେଇଥିଲେ ନବୀନ ପଟ୍ଟନାୟକ।

୨୦୧୯ ମେ’ ୨୯ ତାରିଖ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆର ଶପଥ ଗ୍ରହଣ ସମାରୋହରୁ ଆରମ୍ଭ ହୋଇଥିଲା, ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ। ସେ ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୪ ବର୍ଷ । ଏହାରି ଭିତରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇଦେବାରୁ ମଡେଲ ସାଜିଛି ବିଜେଡି ସରକାର ।

ମିଡନାଇଟ୍‌ ଅପରେସନ୍:
ଲଗାତାର ଭାବେ ୫ମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଆଜି ବି ମେ’ ୨୯ କଥା ମନେ ପଡ଼ିଲେ ଛନକା ପଶିଯାଉଥିବ ନିଶ୍ଚୟ। କାରଣ ୨୦୧୨ ମସିହା ଆଜିର ଦିନରେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। କାରଣ ଏହି ଦିନ ହିଁ ଓଡ଼ିଶା ରାଜନୀତିର ବିଚକ୍ଷଣ ନେତା ତଥା ସ୍ୱର୍ଗତ ପ୍ୟାରୀ ମୋହନଙ୍କ ଭାଗ୍ୟରେ ଲେଖା ହୋଇଥାଆନ୍ତ ଏକ ନୂଆ ଅଧ୍ୟାୟ। ସୃଷ୍ଟି ହୋଇଥାନ୍ତା ଏକ ନୂତନ ଇତିହାସ। କାରଣ କ୍ଷମତାର ଲାଳସା ପ୍ୟାରୀବାବୁଙ୍କୁ ବହୁ ଆଗକୁ ନେଇ ଯାଇଥିଲା। କିଙ୍ଗ ମେକରରୁ ସେ ହୋଇଥାନ୍ତେ କିଙ୍ଗ। ହେଲେ ସବୁ ଉଦ୍ୟମ ଫସର ଫାଟି ଯାଇଥିଲା।

ଏକଦା ବିଜୁ ଜନତା ଦଳର ରିଙ୍ଗ୍‌ ମାଷ୍ଟର ଥିଲେ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ର। ବିଜେଡି ମୁଖିଆ ଥିଲେ ନବୀନ ହେଲେ ସବୁ ନିଷ୍ପତ୍ତିର ପ୍ରଚ୍ଛଦପଟ୍ଟ ନାୟକ ଥିଲେ ପ୍ୟାରୀ। ସେ ଯେମିତି ନଚାଉ ଥିଲେ ଦଳର ନେତାମାନେ ଠିକ୍‌ ‌ସେମିତି ନାଚୁଥିଲେ। ଦଳରୁ କାହାକୁ ବିଦା କରାଯିବ, କାହାକୁ ଟିକଟ ଦିଆଯିବ ଏସବୁର ରଣନୀତି ପ୍ରସ୍ତୁତ କରୁଥିଲେ ପ୍ୟାରୀ। ଚୂଡ଼ାନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀଙ୍କ କଲମରେ ଘଟୁଥିଲେ ମଧ୍ୟ କାଳିମାର ଛିଟା ପ୍ୟାରୀବାବୁଙ୍କ ଇମେଜରେ ହିଁ ଲାଗୁଥିଲା। ସବୁ ନିନ୍ଦା, ଅପବାଦ ଓ ଅପମାନର ବୋଝ ପ୍ୟାରୀବାବୁଙ୍କ ମୁଣ୍ଡରେ ହଁ ଯାଉଥିଲା। ମୁଖ୍ୟମନ୍ତ୍ରୀ କେବଳ ରବର ଷ୍ଟାମ୍ପ ଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ରାତି ଅଧିଆ ବିଜୟ ମହାପାତ୍ରଙ୍କ ଟିକଟ କାଟିବା, ନଳିନୀ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଭଳି ନେତାଙ୍କୁ ବିଦା କରି ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ହୋଇଥିଲେ ପ୍ୟାରୀ।

ଏସବୁ ମଧ୍ୟରେ ଚାଣକ୍ୟରୁ ରାଜା ହେବାର ନିଶା ପ୍ୟାରୀ ମହାପାତ୍ରଙ୍କ ନିଦ ହଜେଇ ଦେଇଥିଲା। ଏଥିପାଇଁ ସମୟ ସୁଯୋଗ ଦେଖି ସେ ବାଛିଥିଲେ ୨୦୧୨ ମସିହା ମେ ୨୯। ସେତେବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ ନବୀନ ପଟ୍ଟନାୟକ। ନବୀନ ଲଣ୍ଡନ ଗସ୍ତରେ ଥିବା ବେଳେ କ୍ଷମତା କେନ୍ଦ୍ରକୁ ଅପହରଣ ପାଇଁ ଆରମ୍ଭ ହୋଇଥିଲା ମିଡ୍‌ ନାଇଟ୍‌ ଅପରେସନ। କେତେକ ବିଧାୟକଙ୍କୁ ହାତରେ ଧରି ପରଦିନ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜେ ପ୍ୟାରୀ ଦାବି କରିଥାନ୍ତେ ବୋଲି ଚର୍ଚ୍ଚା ହୋଇଥିଲା।

୨୦୧୨ ମେ ୨୯ରେ ଓଡ଼ିଶା ରାଜନୀତିରେ ଏକ ରାଜନୈତିକ ବାତ୍ୟା ସୃଷ୍ଟି ହୋଇଥିଲା। ସେଦିନ କିନ୍ତୁ ବାତ୍ୟାର କେନ୍ଦ୍ରସ୍ଥଳ ଥିଲା ସହିଦନଗର। ସେଦିନ ପ୍ରଖରେ ବେଗରେ ଯେଉଁ ଝଡ଼ ବହିବା ଆରମ୍ଭ କରିଥିଲା ତାକୁ ଗଣମାଧ୍ୟମ ହିଁ ପ୍ରଶମିତ କରିଦେଲା। ସେଦିନର ପ୍ୟାରୀବାବୁଙ୍କ ତତ୍କାଳୀନ ଶିଷ୍ୟ ତଥା ଆଜିର କିଛି ଯୁବନେତା ଘଟଣା ଦିନ ଗୁପ୍ତରେ ସହିଦନଗର ଗଡ଼ ସମ୍ଭାଳି ଥିଲେ ମଧ୍ୟ ଧରାପଡ଼ିବା ଆଗରୁ ଚତୁରତାର ସହ ଖସିଯାଇଥିଲେ। ଆଉ ଶେଷରେ ପ୍ୟାରୀ ହିଁ ଦଳରୁ ବିଦା ହେଲେ। ଯାହା ରାଜ୍ୟ ରାଜନୀତି ପାଇଁ ଅଭୁଲା ଦିନ ମନେ ହୁଏ।

ଭି.କେ ପାଣ୍ଡିଆନ୍‌ଙ୍କ ଜନ୍ମଦିନ:
ସଂଯୋଗବଶତଃ, ମେ ୨୯ ତାରିଖ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫’ଟି’ ସଚିବ ଭି କାର୍ତ୍ତିକେୟାନ ପାଣ୍ଡିଆନ‌ଙ୍କ ଜନ୍ମ ତାରିଖ। ବର୍ତ୍ତମାନ ସମୟରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ନାମ ହେଉଛି ଭି କାର୍ତ୍ତିକେୟାନ୍‌ ପାଣ୍ଡିଆନ୍। ୨୦୧୨ ମସିହାରେ ରାଜ୍ୟ ରାଜନୀତିର ପ୍ରଚ୍ଛଦପଟ୍ଟ ନାୟକ ପ୍ୟାରୀ ମହାପାତ୍ର ଥିବାବେଳେ ବର୍ତ୍ତମାନ ସମୟରେ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ସେହି ଦାୟିତ୍ବ ତୁଲାଉଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୁଏ। ସେଥିପାଇଁ ରାଜ୍ୟବାସୀଙ୍କ ମନରେ ମେ’ ୨୯ ତାରିଖ ସର୍ବଦା ଅଭୁଲା ହୋଇ ରହିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ।

Leave A Reply

Your email address will not be published.