ଉମରକୋଟରେ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ

ଓଏଲ୍ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ। ହିଞ୍ଜିଳିରୁ ନିର୍ବାଚନୀ ବିଗୁଲ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଜାଇବା ପରେ ସାରା ରାଜ୍ୟରେ ଜୋରଦାର ପ୍ରଚାର କରୁଛି ବିଜୁ ଜନତା ଦଳ। ଏହିକ୍ରମରେ ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉମରକୋଟ କ୍ଷେତ୍ରକୁ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ସାରା ରାଜ୍ୟରେ ନିର୍ବାଚନ ମାହୋଲ ଥିବା ବେଳେ ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି।
ଆଜି ଉମରକୋଟରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ ବିଜେଡି ନେତା ଭି କେ ପାଣ୍ଡିଆନ। ସେ ହେଲିକପ୍ଟର ଯୋଗେ ଉମରକୋଟରେ ଆୟୋଜିତ ସଭାସ୍ଥଳକୁ ଯାତ୍ରା କରିଥିଲେ। ସେହି ସମୟରେ ଉମରକୋଟରେ ହେଲିକପ୍ଟର ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ। ହେଲିକପ୍ଟର ଯାଞ୍ଚ ପରେ କିଛି ମିଳି ନ ଥିବା ସୂଚନା ରହିଛି।
ଆଜି ଉମରକୋଟରେ ଆୟୋଜିତ ଜନସଭାରେ ବିରୋଧୀଙ୍କୁ କଡା ଟାର୍ଗେଟ କରିଛନ୍ତି ଭି କେ ପାଣ୍ଡିଆନ। ସେ କହିଛନ୍ତି, କିଛି ବିଜେପି ନେତା ବିଜୁ ସ୍ବାସ୍ଥ୍ୟ ସେବା କଲ୍ୟାଣ ଯୋଜନା ବନ୍ଦ କରିବାକୁ ଲାଗିଛନ୍ତି। ନିର୍ବାଚନରେ ଆପଣ ସେମାନଙ୍କୁ ଉଚିତ ଜବାବ ଦେବେ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦୁବାଇ ଯିବା ବନ୍ଦ କଲେ କେନ୍ଦ୍ରମନ୍ତ୍ରୀ। ତେବେ ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଜନଜାତିଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ୫୦ ହଜାରରୁ ଅଧିକ ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟର ସଠିକ ମୂଲ୍ୟ ପାଇବା ପାଇଁ ହୋଇଛି ଯୋଜନା। ତେବେ ମେ ୧୩ରେ ରେକର୍ଡ ସଂଖ୍ୟାରେ ଭୋଟ୍ ଦିଅନ୍ତୁ ବୋଲି ଭି.କେ ପାଣ୍ଡିଆନ ନିବେଦନ କରିଛନ୍ତି।