ବାଜିଲା ନିର୍ବାଚନୀ ବିଗୁଲ; ନାମାଙ୍କନ ଭରିଲେ ଦଶପଲ୍ଲା ବିଜେଡି ପ୍ରାର୍ଥୀ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ହିଞ୍ଜିଳି ଓ କଣ୍ଟାବାଞ୍ଜିକୁ ମିଶାଇ ୩୫ ଆସନରେ ଭୋଟ ଗ୍ରହଣ ହେବ। ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳରୁ ଲଢୁଥିବା ରମେଶ ବେହେରା। ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ନାମାଙ୍କନ ପତ୍ର ଦାଖଲ ସମୟରେ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସମେତ ସମାଜସେବୀ ଶ୍ରୀହରି ନାୟକ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ଏନଏସି ଅଧ୍ଯକ୍ଷା ପୁନମ ପ୍ରିୟଦର୍ଶିନୀ, ନୂଆଗାଁ ବ୍ଲକ ଚେୟାରମ୍ୟାନ ଓ ଗଣିଆ ବ୍ଳକର ଚେୟାରମ୍ୟାନ୍ ଉପସ୍ଥିତ ରହିଥିଲେ। ୫ ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ନେଇ ବିଭିନ୍ନ ବାଣ ବାଜାରେ ପ୍ରକମ୍ପିତ ହୋଇଥିଲା ରାସ୍ତାଘାଟ। ଏଥି ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡିର ବହୁ ବରିଷ୍ଠ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ ।