ଗୌହାଟୀରେ ଧର୍ମେନ୍ଦ୍ରଙ୍କ ବିନା ୨୦୨୪ ନୀଳନକ୍ସା ପ୍ରସ୍ତୁତ କଲା ଓଡ଼ିଶା ବିଜେପି

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଆଉ ବଦଳୁଛି ବିଜେପିରି ସାଙ୍ଗଠନକି କଳେବର। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଜାତୀୟ ସଙ୍ଗଠନଠୁ ଆରମ୍ଭ କରି ରାଜ୍ୟ ସଙ୍ଗଠନ ଗୁଡ଼ିକୁ ନୂଆ ରୂପ ଦେବାରେ ଲାଗିଛି। ଏଥିପାଇଁ ଦଳ ପକ୍ଷରୁ ହେଉଛି ଜୋରଦାର ପ୍ରସ୍ତୁତି।
ଦେଶର ବିଭିନ୍ନ ଅଞ୍ଚଳକୁ ଜୋନରେ ଭାଗ କରି ଦଳ ବିଭିନ୍ନ ରାଜ୍ୟର ନେତାଙ୍କ ସହ ବୈଠକ ଆରମ୍ଭ କରିଛି ବିଜେପି। ଆଜି ପୂର୍ବାଞ୍ଚଳ ଓ ଉତ୍ତରପୂର୍ବ ରାଜ୍ୟର ବିଜେପି ନେତାଙ୍କ ବୈଠକ ଗୌହାଟୀରେ ଆୟୋଜିତ ହୋଇଛି।
ଏସବୁ ରାଜ୍ୟର ବରିଷ୍ଠ ନେତାମାନେ ଗୌହାଟୀରେ ଏକାଠି ହୋଇଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ପ୍ରମୁଖ ରାଜ୍ୟର ନେତାଙ୍କୁ ନିର୍ବାଚନ ବିଜୟ ମନ୍ତ୍ର ଦିଆଯାଇଛି। ସେପଟେ ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ନାଗାଲାଣ୍ଡ ଆଦି ରାଜ୍ୟର ନେତା ବୈଠକରେ ସାମିଲ ହୋଇଛନ୍ତି।
ଆଜିର ଗୌହାଟୀ ବୈଠକରେ ଓଡ଼ିଶାର ବିଜେପି ନେତାଙ୍କ ମଧ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ, ଆସାମ ପ୍ରଭାରୀ ତଥା ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସାଙ୍ଗଠନିକ ସମ୍ପାଦନ ମାନସ ମହାନ୍ତି, ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ନେତା ମାନେ ବିଜେପିର ରାଷ୍ଟ୍ରୀୟ ମହାସଚିବ ବି ଏଲ ସନ୍ତୋଷଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହିତ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଉପସ୍ଥିତ ଥିଲେ।
ଆଗାମୀ ଦିନରେ ଓଡ଼ିଶାରେ ଯେଉଁ ନିର୍ବାଚନ ହେବ ସେଥିପାଇଁ ଦଳର ହାଇକମାଣ୍ଡ ଓଡ଼ିଶା ବିଜେପି ନେତୃତ୍ବଙ୍କ ସହ ମିଶି ୨୦୨୪ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ସୂଚନା ରହିଛି। ସବୁଠୁ ବଡ଼ କଥା ହେଲେ ଓଡ଼ିଶା ବିଜେପିର ଶକ୍ତିଶାଳୀ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ନଜର ଆସିନଥିଲେ। ତାଙ୍କ ବିନା ୨୦୨୪ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ଦଳ। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀସ୍ଥିତ ବାସଭବନରେ ଏକ ମିଶ୍ରଣ ପର୍ବ କରାଇଛନ୍ତି। ଅନୁଗୁଲ ନିର୍ବାଚନ ମଣ୍ଡଳୀର ବିଜେଡି ଓ କଂଗ୍ରେସ ଦଳର ନେତାଙ୍କୁ ବିଜେପିରେ ସାମିଲ କରାଇଛନ୍ତି। ଏନେଇ ସେ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି।