Odisha Link
Bridging the Missing Links in Odisha

ରାଜ୍ୟ ଔଷଧ ନିଗମ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଓଏଲ୍‌ ବ୍ୟୁରୋ: ସରକାରୀ ମେଡିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ। ଗତକାଲ ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ୭ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ। ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗୋଦାମ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି।

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମେଡ଼ିସିନ ଗୋଦାମଟି ହଠାତ୍‌ ଜଳିବାକୁ ଲାଗିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ୭ରୁ ଅଧିକ ଦମକଳ ଗାଡ଼ିକୁ ନିଆଁ ଲିଭା କାର୍ଯ୍ୟର ନିୟୋଜିତ କରାଯାଇଛି। ହେଲେ ଦୀର୍ଘ ୭ ଘଣ୍ଟା ପରେ ସକାଳ ପ୍ରାୟ ୬ଟା ପରେ ନିଆଁ ଲିଭିଥିବା ଜଣାଯାଇଛି।

ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ ଟାଙ୍କି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି। ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି।

ଗୋଦାମ ଘରେ ସାନିଟାଇଜର, ମାସ୍କ, ପିପିଇ କିଟ୍ ପରି କୋଭିଡ୍ ସାମଗ୍ରୀ ସହ ସାଲାଇନ୍ ଓ ଅକ୍ସିଜେନ ସିଲିଣ୍ଡର ଥିଲା। ଔଷଧ ଗୋଦାମରେ ଥିବା ସାନିଟାଇଜର ଜଳିବାରୁ ନିଆଁର ତୀବ୍ରତା ବଢ଼ିବା ସହ ତାହାକୁ ନିୟନ୍ତ୍ରଣ କରିବାକୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା।