Odisha Link
Bridging the Missing Links in Odisha

ରାଜ୍ୟରେ ଲଗାଣ ବର୍ଷା, ଦେବଗଡ଼ ଜିଲ୍ଲାରେ ଦୁଇଦିନିଆ ସ୍କୁଲ ଛୁଟି ଘୋଷଣା

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ତିତି ସୃଷ୍ଟି ହୋଇଛି। ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି। ପ୍ରବଳ ବର୍ଷା ଯୋଗୁଁ ଆଜି ୧୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।

କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, ବାଲେଶ୍ୱର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାକୁ ନଜରରେ ରଖି ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଦୁଇଦିନିଆ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାରୁ ସ୍କୁଲ ଛୁଟି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।

ଅନ୍ୟପଟେ, ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.