Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ: ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଓଏଲ୍‌ ବ୍ୟୁରୋ: ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ବସ୍ତି। ରାହୁଲ ଗାନ୍ଧୀ ନିଜର ସାଂସଦ ପଦ ଫେରିପାଇଥିବା ଜଣା ପଡିଛି। ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧୀ ନିଜର ସାଂସଦ ସଦସ୍ୟତା ପଦ ଫେରି ପାଇଛନ୍ତି। କେରଳର ୱାୟନାଡରୁ ରାହୁଲ ଗାନ୍ଧୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଲୋକସଭା ସଚିବାଳୟର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ସଂସଦରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ସବୁ ଚୋର କାହିଁକି ମୋଦି ସାଙ୍ଗିଆ ବହନ କରିଛନ୍ତି ବୋଲି ୨୦୧୯ ଏପ୍ରିଲ୍‌ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍‌ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ତେବେ ଏହି ମାନହାନି ମାମଲାକୁ ନେଇ କୋର୍ଟରେ କେଶ ଦାଏର ହୋଇଥିଲା। ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍‌ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ଅଭିଯୋଗ ଦାଏର କରିଥିଲେ।

ଏହି ମନ୍ତବ୍ୟ ସମଗ୍ର ମୋଦି ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍‌ଠାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ।

ଉପରୋକ୍ତ ମାମଲାର ଶୁଣାଣି କରି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଦେଇଥିଲେ। ମୋଦି ଉପନାମ ମାମଲାରେ ବୟାନ ଦେବାକୁ ନେଇ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷର ଦଣ୍ଡାଦେଶ ହୋଇଥିଲା। ଯାହାଫଳରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କ ପାଇଁ ପୁଣିଥରେ ସଂସଦର ଦ୍ୱାର ଖୋଲିଛି।

Leave A Reply

Your email address will not be published.