Odisha Link
Bridging the Missing Links in Odisha

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ରାଜଧାନୀରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଥମିବାର ନା ନେଉନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ରୋଗୀ ଚିହ୍ନଟ ହେଲେଣି। ଗତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୧ ହଜାର ୪୪୧ ଥିଲା। ବାଲେଶ୍ୱରରେ ୧୭୯, ପୁରୀରେ ୧୫୦, କଟକରେ ୧୨୫, ଜଗତସିଂହପୁରରେ ୧୦୧ ରୋଗୀ ଚିହ୍ନଟ କରାଯାଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

ସୂଚନା ଅନୁସାରେ, ଡେଙ୍ଗୁ ସଂକ୍ରମଣକୁ ରୋକିବା ପାଇଁ ଏଣିକି ଘରକୁ ଘର ବୁଲି ଡେଙ୍ଗା ମଶା ଖୋଜିବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ଯଦି ଘରୁ ମଶା ପାଇବେ ଅଧିକାରୀ ତେବେ ଗୃହକର୍ତ୍ତା ଗଣିବେ ୧୦୦୦ ଟଙ୍କା ଜରିମାନା। ଏଭଳି କିଛି ନିର୍ଦ୍ଦେଶ କରିଥିଲେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ଭୁବନେଶ୍ବରରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହେଲାଣି। ତେଣୁ ଘର ଚାରିପଟେ ଭଙ୍ଗା ଗାଡ଼ି, ସୋଲ, ଥାଳି, ଟାୟାର ସଫା କରିବାକୁ ହେବ। ଅଗଷ୍ଟ ୧୫ ସୁଦ୍ଧା ସବୁ ଅଳିଆ ହଟାଇବାକୁ ପଡ଼ିବ। ଏହାପରେ ସ୍ବଚ୍ଛସାଥି, ଆଶା, ଅଙ୍ଗନବାଡ଼ି ଦିଦି, ବିଏମ୍‌ସି କର୍ମଚାରୀ ପ୍ରତି ଘର ଅଚାନକ ଗସ୍ତ କରିବେ। ଯଦି କୌଣସି ଘରୁ ମଶା, ଲାର୍ଭା ବାହାରେ ତେବେ ସଙ୍ଗେ ସଙ୍ଗେ ଜରିମାନା କରାଯିବ।

Leave A Reply

Your email address will not be published.